ପୋଲିସର ପୋଲ୍ ଖୋଲିଲା CCTV !
ନନ୍ଦିଘୋଷ ବ୍ୟୁରୋ: ରକ୍ଷକ ସାଜିଲା ଭକ୍ଷକ। CCTV ଖୋଲିଲା ପୋଲିସର ଅସଲ ମୁଖା! ପୀଡ଼ିତଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅପରାଧୀଙ୍କୁ ଅନୁକମ୍ପା। CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ଏବେ ବୌଦ୍ଧ ଆଦର୍ଶ ଥାନା ପୋଲିସର ଅସଲ ମୁଖା ଖୋଲିଯାଇଛି।
ସେପ୍ଟେମ୍ବର ୧୯ରେ ବୌଦ୍ଧ ଥାନା ଅନ୍ତର୍ଗତ ଗୋଦ ରାବେଣୀ ଗ୍ରାମର ବିଳାସିନୀ ଦାସଙ୍କ ଘର ଆଗରେ ହଠାତ୍ ସୃଷ୍ଟି ହୋଇଥିଲା ଆତଙ୍କ । ଗାଁର ୧୦ ରୁ ୧୨ ଜଣ ଗୁଣ୍ଡା ଯୁବକ ଠେଙ୍ଗା, ଟାଙ୍ଗି, କଟୁରୀ ଧରି ବିଳାସିନୀଙ୍କ ପୁଅ ଅଜିତ୍ ଓ ରଞ୍ଜିତ୍ଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘରର ଲୁହା ଗ୍ରୀଲ୍ ଭାଙ୍ଗି ଭିତରେ ପଶିଥିଲେ। ଦୁର୍ବୃତ୍ତମାନେ ଘରର ଟିଭି, ଫ୍ରିଜ୍, ଆସବାବପତ୍ର ଓ CCTV କ୍ୟାମେରା ଭାଙ୍ଗିରୁଜା କରିବା ସହ ଲକର ଭାଙ୍ଗି ୩୦ ଗ୍ରାମ୍ ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଏପରିକି ଘର ବାହାରେ ଥିବା ବାଇକକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ନିଆଁ ଲିଭାଇବା ସହ ପରିବାରକୁ ଉଦ୍ଧାର କରିଥିଲେ। ଏହାପରେ ପୀଡ଼ିତ ଅଜିତ୍ ଦାସ ଥାନାରେ ସମସ୍ତ CCTV ଫୁଟେଜ୍ ଓ ବିଲ୍ ସହ ଲିଖିତ ଏତଲା ଦେଇଥିଲେ। ମାତ୍ର ବୌଦ୍ଧ ପୋଲିସ CCTV ରେ ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ୫ ଅଭିଯୁକ୍ତମାନଙ୍କୁ ଛାଡ଼ି ଦେଇଥିଲା। ଓଲଟି ଅଭିଯୁକ୍ତଙ୍କ ମିଥ୍ୟା ଏତଲାକୁ ଭିତ୍ତି କରି ପୀଡ଼ିତ ଦୁଇ ଭାଇଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଜେଲ୍ ପଠାଇଦେଲା। ଜାମିନରେ ଆସିବା ପରେ ବି ଅଭିଯୁକ୍ତଙ୍କ ହତ୍ୟା ଧମକ ଯୋଗୁଁ ପରିବାରଟି ଘରକୁ ଫେରିପାରୁନାହିଁ। ସୁରକ୍ଷା ଅଭାବରୁ ସେଣ୍ଟ୍ରାଲ ସ୍କୁଲରେ ପଢ଼ୁଥିବା ଏକ ଛୋଟ ଶିଶୁ, ତାର ମା’ ଓ ବୃଦ୍ଧା ୭ ଦିନ ହେଲା ଅନ୍ୟ ଗ୍ରାମରେ ଦିନ କାଟୁଛନ୍ତି।
ପୋଲିସର ଏହି ପକ୍ଷପାତିତା ବିରୋଧରେ ଆଜି ପୀଡ଼ିତ ପରିବାର ସହ ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ଲୋକ ବୌଦ୍ଧ SP ଙ୍କ ଦ୍ୱାରସ୍ଥ ହୋଇଥିଲେ। ଗ୍ରାମବାସୀ SP ଙ୍କୁ ଭେଟିବା ପୂର୍ବରୁ ବୌଦ୍ଧ IIC ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା, ପୀଡ଼ିତ ପରିବାର ସିଧାସଳଖ SP ଙ୍କୁ ଭେଟି ପ୍ରତ୍ୟକ୍ଷ CCTV ଫୁଟେଜ୍ ଦେଖାଇଛନ୍ତି। CCTV ପ୍ରମାଣ ଦେଖିବା ପରେ SP ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।