ଏମକେସିଜିରେ RDC ଅନଲାଇନ ଟିକଟ ପଞ୍ଜୀକରଣ କାଉଣ୍ଟର ବନ୍ଦ, ରକ୍ତ ପରୀକ୍ଷାରେ ସମସ୍ୟା
ଏମକେସିଜିରେ RDC ଅନଲାଇନ ଟିକଟ ପଞ୍ଜୀକରଣ କାଉଣ୍ଟର ବନ୍ଦ, ରକ୍ତ ପରୀକ୍ଷାରେ ସମସ୍ୟା
ନନ୍ଦିଘୋଷ ବ୍ୟୁରୋ: MKCG ମେଡିକାଲ କଲେଜ ଓ ହସ୍ପିଟାଲର ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର ବା RDCରେ କିଛି ଦିନ ହେବ ଅନଲାଇନ ପଞ୍ଜୀକରଣ ବନ୍ଦ । ରୋଗୀଙ୍କୁ ଠିକ ସମୟରେ ମିଳୁନି ରକ୍ତ ପରୀକ୍ଷା ରିପୋର୍ଟ । ରୋଗୀଙ୍କ ଲମ୍ବା ଧାଡି ଲାଗି ରହୁଥିବା ବେଳେ ଆଉଟଡୋର ସହ ଇନଡୋର, କାଜୁଆଲଟି, ଆଇସିୟୁ, ଟ୍ରମାକେୟାର ଭଳି ବିଭାଗର ଗୁରୁତର ରୋଗୀଙ୍କ ଚିକିତ୍ସାରେ ବିଳମ୍ବ ଘଟୁଥିବା ଅଭିଯୋଗ ।
ଏମକେସିଜିରେ ରକ୍ତ ପରୀକ୍ଷା ପାଇଁ ରୋଗୀ ହେଉଛନ୍ତି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ । ଦିନ ଦିନ ଧରି RDC ଅନଲାଇନ ଟିକଟ ପଞ୍ଜୀକରଣ କାଉଣ୍ଟର ବନ୍ଦ ରହୁଥିବା ବେଳେ ରହୁନି ଲିଙ୍କ । ଫଳରେ ପ୍ରତ୍ୟେକ ଦିନ ଶହଶହ ରୋଗୀ ଏଠାକୁ ରକ୍ତ, ମଳ ଓ ମୂତ୍ର ପରୀକ୍ଷା କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି । ଦିନକୁ ଦିନ ସମସ୍ୟା ବଢି ଚାଲିଥିବା ବେଳେ ଏଥିପ୍ରତି ଏମକେସିଜି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି ।
ଇନଡୋର ରୋଗୀଙ୍କୁ ରିପୋର୍ଟ ବିଳମ୍ବରେ ମିଳିବାରୁ ତାଙ୍କ ଅପରେସନ ମଧ୍ୟ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏମକେସିଜିର ରୋଗୀଙ୍କୁ ରକ୍ତ ପରୀକ୍ଷା ପାଇଁ ଦେବା ପୂର୍ବରୁ ପ୍ରଥମେ ଆରଡିସିରେ ଟିକଟ କାଉଣ୍ଟରରେ ପଞ୍ଜୀକରଣ କରିବାକୁ ପଡିଥାଏ । ପଞ୍ଜିକରଣ ଓ ରୋଗୀଙ୍କୁ ରିପୋର୍ଟ ପ୍ରଦାନ ପାଇଁ ମଲ୍ଟିସଫ୍ଟ ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ରୋଗୀଙ୍କ ରକ୍ତ ପରୀକ୍ଷା ସମ୍ପର୍କିତ ପଞ୍ଜୀକରଣ, ପରବର୍ତ୍ତୀ ସମୟରେ ପରୀକ୍ଷା ରିପୋର୍ଟ ପ୍ରଦାନ ଓ ସେହି ପରୀକ୍ଷା ରିପୋର୍ଟକୁ ଅନଲାଇନରେ ଅପଲୋଡ କରିବା ପାଇଁ ଏହି ଘରୋଇ ସଂସ୍ଥାକୁ ମାସକୁ ପ୍ରାୟ ୫ ଲକ୍ଷ ଟଙ୍କା ହିସାବରେ ବାର୍ଷିକ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଏହି ସଂସ୍ଥା ପକ୍ଷରୁ ପ୍ରାୟ ୧୦ ଜଣ ଘରୋଇ କର୍ମଚାରୀ ନିୟୋଜିତ ହୋଇଛନ୍ତି । ହେଲେ ଦୀର୍ଘଦିନ ଧରି ସମସ୍ୟା ଲାଗି ରହିଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଏକାଧିକ ଦିନ ସର୍ଭର ଡାଉନ ରହିଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ବୈଷୟିକ ତ୍ରୁଟି ସଜଡା ଯାଉନାହିଁ । ସଂସ୍ଥାର କର୍ମଚାରୀମାନେ ଆଜକୁ ୪ ଦିନ ହେବ ରୋଗୀଙ୍କୁ ହାତରେ ଲେଖି ପଞ୍ଜିକରଣ ଟିକଟ ଦେଉଛନ୍ତି । ସରକାର ସ୍ବାସ୍ଥ୍ୟ ସେବାରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ବ୍ରହ୍ମପୁର ମେଡିକାଲ ଅବ୍ୟବସ୍ଥା ଭିତରେ ଗତି କରୁଛି । ସେପଟେ କର୍ମଚାରୀ ଓ କାଉଣ୍ଟର ଅଭାବ ଯୋଗୁଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।