ସୋମବାର ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି

Sep 01, 2026 - 17:13
ସୋମବାର ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି

ପୁରୀ: ସୋମବାର ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଗଣତମଣତି କଡ଼ା ସୁରକ୍ଷା ମଧ୍ୟରେ ହୋଇଛି। ସକାଳ ଧୂପ ପରେ ଗଣତିମଣତି ଦଳ ସକାଳ ପ୍ରାୟ ୧୧ଟା ୪୫ରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ସଦସ୍ୟଙ୍କ ମଧ୍ୟରେ ଶ୍ରୀମନ୍ଦିିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ, ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ପ୍ରମୁଖ ସାମିଲ ଥିଲେ। ରତ୍ନଭଣ୍ଡାରକୁ ପ୍ରବେଶ ପୂର୍ବରୁ ସଦସ୍ୟମାନେ ପାରମ୍ପରିକ ପୋଷାକ ପରିଧାନ କରିଥିଲେ।
ସୂଚନା ମୁତାବକ, ସୋମବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ସହ ଚଳନ୍ତି ଭଣ୍ଡାରରେ ଥିବା ତଥା ଶ୍ରୀଅଙ୍ଗରେ ଲାଗି ହେଉଥିବା ଝୋବା କଣ୍ଠିର ମଧ୍ୟ ଗଣତି ମଣତି କରିଛନ୍ତି। ଭକ୍ତଙ୍କ ଦାନ ଅଳଙ୍କାର ସାଧାରଣତଃ ଚଳନ୍ତି ଭଣ୍ଡାରରେ ରହିଥାଏ। ଏହି ଅଳଙ୍କାରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଗଣତି ବେଳେ ଭିତର ରତ୍ନଭଣ୍ଡାରରେ ଥିବା କାଠ ବାକ୍ସଗୁଡ଼ିକର ମାପ ନିଆଯାଇଛି। କାଠ ବାକ୍ସଗୁଡ଼ିକ ବହୁତ ବଡ଼ ହୋଇଥିବାରୁ ଭିତର ରତ୍ନଭଣ୍ଡାରରେ ଗଣତି କରିବା ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର ଏହାର ଗଣତି ପାଇଁ ଖଟଶେଜ ଘରକୁ ଆଣିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସୋମବାର ଗଣତି ପ୍ରକ୍ରିୟାରେ ଉପସ୍ଥିତ ଥିବା ରତ୍ନବିଶାରଦମାନେ ଚିହ୍ନଟରେ ସହାୟତା କରିଥିଲେ। ସମସ୍ତ ଗଣତିମଣତି ସ୍ୱଚ୍ଛତାର ସହ ରାଜ୍ୟ ସରକାରଙ୍କ ଅନୁମୋଦିତ ନିୟମ ମଧ୍ୟରେ କରାଯାଇଛି। ଗଣତିମଣତି କାର୍ଯ୍ୟ ସିସି କ୍ୟାମେରାରେ ରେକର୍ଡ ହୋଇଛି। ରତ୍ନ ଅଳଙ୍କାରଗୁଡ଼ିକର ଫଟୋଗ୍ରାଫି, ଭିଡିଓଗ୍ରାଫି ଏବଂ ୩ଡି ମ୍ୟାପିଂ କରାଯାଇଛି। ସୋମବାର ଗଣତି ପ୍ରକ୍ରିୟା ସନ୍ଧ୍ୟା ପ୍ରାୟ ୬ଟା ୫୫ରେ ଶେଷ ହୋଇଛି। ଆଜି ୭ଘଣ୍ଟାରୁ ଅଧିକ ସମୟ ଗଣତିମଣତି ପ୍ରକ୍ରିୟା ଚାଲିଥିଲା। ମଙ୍ଗଳବାର ପୁଣି ଗଣତି ପ୍ରକ୍ରିୟା ଚାଲିବ। ସେପ୍ଟେମ୍ବର ମାସ ନୀତିବହୁଳ ଥିବାରୁ ଖୁବ କମ ଦିନ ଗଣତିମଣତି ହୋଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।