ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ ଘରେ ପଶି ଲୁଟ୍, ୪ ଅଭିଯୁକ୍ତ ଗିରଫ
ବଲାଙ୍ଗୀର, ୬।୧୧ (ସୁନିଲ କୁମାର ମହାନ୍ତି): ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ ଘରେ ପଶି ଦୁଇ ମହିଳାଙ୍କୁ ଲାଟ୍ରିନ୍ ଓ ବାଥରୁମ୍ରେ ବନ୍ଦ କରି ଲୁଟ୍ କରିଥିବା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା (ସୀତାରାମ ନଗର)ରେ ଗତ ଅକ୍ଟୋବର ୩୦ ତାରିଖରେ ଏହି ଲୁଟ୍ ଘଟିଥିଲା।
ସୂଚନା ଅନୁଯାୟୀ, ପୁଷ୍ପାଞ୍ଜଳି ମିଶ୍ର (୫୫) ଓ ତାଙ୍କ ଭଉଣୀ ଘରେ ଥିବା ସମୟରେ ୪ ଜଣ ଦୁର୍ବୃତ୍ତ ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ ଘରେ ପ୍ରବେଶ କରିଥିଲେ। ପରେ ସେମାନେ ଜୋରଜବରଦସ୍ତ ଦୁଇ ମହିଳାଙ୍କୁ ଲାଟ୍ରିନ୍ ଓ ବାଥରୁମ୍ରେ ବନ୍ଦ କରି ଘରୁ ସୁନା ଓ ରୁପା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ମହିଳାମାନେ ଚିତ୍କାର କରିବାରୁ ଲୁଟେରାମାନେ ଟିଭି ଚଳାଇ ଏହାର ଶବ୍ଦ ବଢ଼ାଇ ଦେଇଥିଲେ। ଫଳରେ ସେମାନଙ୍କ ଚିତ୍କାର ବାହାରକୁ ଶୁଣାଯାଇ ନ ଥିଲା। ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏନେଇ ପୁଷ୍ପାଞ୍ଜଳି ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ଶକ୍ତିମାନ ମାଝୀ (୨୮), ପ୍ରକାଶ ମାଝୀ (୨୧), ଚିତ୍ତରଞ୍ଜନ ଧରୁଆ (୪୨) ଓ ଅଭି କୁମ୍ଭାର (୨୦)ଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ସୁନା ଚୁଡ଼ି, କାନଫୁଲ, ମୁଦି, ରୁପା ଚେନ୍, ପାଉଁଜି ସମେତ ଦୁଇଟି ମୋଟରସାଇକେଲ୍ ଓ ତିନୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଏନେଇ ସଦର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ସରୋଜ ଉପାଧ୍ୟାୟ, ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ ଓ ଇନ୍ସପେକ୍ଟର ସୁଦୀପ୍ତା ରାଉତରାୟ ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍ଡିପିଓ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।