ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

Sep 27, 2026 - 21:32
ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ନୋଳିଆ ନୂଆଗାଁର ଏ.ସୋମାୟା।

ସୂଚନା ଅନୁଯାୟୀ, ସୋମାୟା ଆର୍ଯ୍ୟପଲ୍ଲୀ ଅଞ୍ଚଳକୁ ଡଙ୍ଗା ଦେଖିବାକୁ ଆସିଥିଲେ। ସେଠାରୁ ସ୍କୁଟି ଯୋଗେ ଗାଁକୁ ଫେରୁଥିବା ବେଳେ ଡିଆର୍‌ଡିଏ ଛକ ନିକଟରେ ଏକ ଟ୍ରକ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛଟିକି ପଡ଼ି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଏସ୍‌ପି ହରିଶ ବିଶି, ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼େଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ରାସ୍ତା ଅବରୋଧ ହଟି ରାଜପଥରେ ଯାତାୟାତ ସ୍ବଭାବିକ ହୋଇଥିଲା। ପୋଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ ଜବତ କରି ଚାଳକଙ୍କୁ ଅଟକ ରଖିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲକୁ ପଠାଇଛି। ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।