ସ୍କୁଲ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ,୨ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦୁର୍ଘଟଣା ଜନିତ ସହାୟତା ରାଶି
ଭୁବନେଶ୍ୱର : ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସ୍କୁଲ ଆସିବା-ଯିବା ସମୟରେ କିମ୍ବା ବିଦ୍ୟାଳୟ ପରିସରରେ ଦୁର୍ଘଟଣା ଘଟିଲେ ସରକାରଙ୍କ ତରଫରୁ ମିଳିବ ଚିକିତ୍ସା ସହାୟତା । ୧ଲକ୍ଷ ଟଙ୍କା ଯାଏଁ ପାଇପାରିବେ ସହାୟତା ରାଶି । ଏପରିକି ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା (ଫୁଡ୍ ପଏଜନିଂ) ପାଇଁ ମଧ୍ୟ ସହାୟତା ରାଶି ପାଇପାରିବେ ।
ସେହିପରି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ ଟଙ୍କା ମିଳିବ । ଆହତ ପାଇଁ ମାଗଣା ଚିକିତ୍ସା ସହ ୧୦ ରୁ ୩୦ ହଜାର ଟଙ୍କା ମିଳିବ । ଏହି ଅର୍ଥ ରାଶି ୨୪ ଘଣ୍ଟା ମଧ୍ୟରେ ସିଧାସଳଖ ପିଲାଙ୍କ ମା’ଙ୍କ ବ୍ୟାଙ୍କ ଖାତାକୁ ଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ନିମନ୍ତେ ‘ଏକ୍ସ-ଗ୍ରାସିଆ ଗ୍ରାଣ୍ଟ ଫଣ୍ଡ’ର ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ପୂର୍ବର ୨୦୧୫ ନିୟମକୁ ସଂଶୋଧନ କରି ଏହାର ପରିସରକୁ ବ୍ୟାପକ କରାଯାଇଛି । ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳୁଥିଲା । ଏଣିକି ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ମାଇନିଂ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରିବେ ।
ବିଜ୍ଞପ୍ତି ଅନୁଯାୟୀ, ଘରୁ ବିଦ୍ୟାଳୟକୁ ଆସିବା କିମ୍ବା ଫେରିବା ସମୟରେ ସଡ଼କ ଦୁର୍ଘଟଣା, ସ୍କୁଲ କୋଠା ଭିତରେ କୌଣସି ଦୁର୍ଘଟଣା, ମଧ୍ୟାହ୍ନ ଭୋଜନ ଖାଇ ଫୁଡ୍ ପଏଜନିଂ ହେବା କିମ୍ବା ସ୍କୁଲର କୌଣସି କାର୍ଯ୍ୟକଳାପ ସମୟରେ ଅଘଟଣ ଘଟି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ କିମ୍ବା ସ୍ଥାୟୀ ଭିନ୍ନକ୍ଷମତା ଦେଖାଦେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।
କୌଣସି ବଡ଼ ଧରଣର ଦୁର୍ଘଟଣା ଘଟି ଛାତ୍ରଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ବା ବଡ଼ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପଡ଼ିଲେ ଯାତାୟାତ ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ସର୍ବାଧିକ ୩୦,୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଦୁର୍ଘଟଣା ପରେ ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ । ଏହି ଖର୍ଚ୍ଚ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ବା ରେଡକ୍ରସ ପାଣ୍ଠିରୁ ବହନ କରାଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।