ଆଜି ପବିତ୍ର ଜନ୍ମାଷ୍ଟମୀ ଶ୍ରୀମନ୍ଦିରରେ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଇ ସାରା ଦେଶରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମୋତ୍ସବ । ମଥୁରା, ବୃନ୍ଦାବନ, ଦ୍ବାରକାରୁ ପୁରୀ ପର୍ଯ୍ୟନ୍ତ ଜନ୍ମାଷ୍ଟମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ଜନ୍ମାଷ୍ଟମୀ ଦିନ ଅନେକ ଭକ୍ତ ଉପବାସ କରିବା ସହ ଭଜନ-କୀର୍ତ୍ତନ ଓ ପୂଜାର୍ଚ୍ଚନା କରନ୍ତି । ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟକୁ ସ୍ମରଣ କରି ବିଶେଷ ପୂଜା ଓ ଆଳତି କରାଯାଏ । ଜନ୍ମାଷ୍ଟମୀ ପାଇଁ ମଥୁରାରେ ଚଳିତବର୍ଷ ବିଶେଷ ସାଜସଜ୍ଜା ମଧ୍ୟ କରାଯାଇଛି । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସହ ଜଡ଼ିତ ବୃନ୍ଦାବନରେ ମଧ୍ୟ ଜନ୍ମାଷ୍ଟମୀର ଭବ୍ୟ ଉତ୍ସବ ଚାଲିଛି । ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ପହଞ୍ଚିଛନ୍ତି । ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିବାବେଳେ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମଥୁରା, ବୃନ୍ଦାବନ ଓ ବ୍ରଜ ଅଞ୍ଚଳରେ ଆଜି ଜନ୍ମାଷ୍ଟମୀ ଉପଲକ୍ଷେ ବିଶେଷ ଉତ୍ସବ ଆୟୋଜନ ହେଉଛି । ଗୁଜରାଟର ଦ୍ୱାରକାରେ ମଧ୍ୟ ଜନ୍ମାଷ୍ଟମୀର ଧୁମ୍ ଦେଖିବାକୁ ମିଳିଛି । ଶ୍ରୀକୃଷ୍ଣଙ୍କ ସହ ଦ୍ୱାରକାର ଗଭୀର ସମ୍ପର୍କ ଥିବାରୁ ଏଠାରେ ଜନ୍ମାଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି ।
ସେହିପରି ପୁରୀ ବଡ଼ଦେଉଳରେ ମଧ୍ୟ ଜନ୍ମାଷ୍ଟମୀ ନୀତି କାନ୍ତି ଅନୁସାରେ ପାଳନ କରାଯାଇଥାଏ । ସନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା । ଆଜି ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁରୁବାର ମାଜଣା ନୀତି ସହ ଯେଉଟ ଭୋଗ ଓ ଗର୍ଭଉଦକ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଛି ।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥଙ୍କଠାରୁ ହିଁ ଶ୍ରୀକୃଷ୍ଣ ଓ ଶ୍ରୀରାମ ଆଦି ସମସ୍ତ ଅବତାର ଜନ୍ମ ନିଅନ୍ତି । ଏଣୁ ଗୁରୁବାର ଶ୍ରୀକୃଷ୍ଣଙ୍କ ଜନ୍ମର ପୂର୍ବ ବିଧି ପାଳନ ହୋଇଛି । ଶ୍ରୀଜଗନ୍ନାଥ ମା’ଦେବକୀ ଭାବେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେବେ । ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ଯେଉଟ ଭୋଗ ଲାଗି କରାଯାଇଛି । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଠାକୁରଙ୍କୁ ଏହି ଭୋଗ ଲାଗି କରାଯାଏ । ଏଥିସହ ସମ୍ପନ୍ନ ହୋଇଛି ଠାକୁରଙ୍କ ଗର୍ଭଉଦକ ବନ୍ଦାପନା ନୀତି । ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ମଠ ବାଡି ମାନଙ୍କରେ ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଭୁବନେଶ୍ବର ରାମମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।