ସ୍କୁଲ ଭିତରେ ଜମିଥିଲା ପଙ୍କ-କାଦୁଅ: ନିଜ ହାତରେ ଝାଡୁ ଧରି ସଫା କଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ-ପୁରାତନ ଛାତ୍ର

Nov 03, 2026 - 21:09
ସ୍କୁଲ ଭିତରେ ଜମିଥିଲା ପଙ୍କ-କାଦୁଅ: ନିଜ ହାତରେ ଝାଡୁ ଧରି ସଫା କଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ-ପୁରାତନ ଛାତ୍ର

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟ ଜଳମଗ୍ନ ହୋଇପଡ଼ିଥିଲା। ବନ୍ୟାଜଳ ହ୍ରାସ ପାଇବା ପରେ ବିଦ୍ୟାଳୟ ପରିସର ଓ ଶ୍ରେଣୀଗୃହଗୁଡ଼ିକରେ ବହୁ ପରିମାଣର ପଙ୍କ, କାଦୁଅ ଏବଂ ଅଳିଆ ଆବର୍ଜନା ଜମି ରହିଥିଲା। ଦୀର୍ଘ ଛୁଟି ପରେ ବୁଧବାର ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଥିବାରୁ, କୋମଳମତି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଆଖିଆଗରେ ରଖି ଆଜି ବିଭିନ୍ନ ସ୍କୁଲରେ ବ୍ୟାପକ ସଫେଇ କାର୍ଯ୍ୟ କରାଯାଇଛି।

ଏହି କ୍ରମରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ପଞ୍ଚାୟତର ଧୀରେଶ୍ୱର ବିଦ୍ୟାପୀଠରେ ଏକ ପ୍ରଶଂସନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବ୍ଲକ ଅଧ୍ୟକ୍ଷା ସାଡ଼ି ଶାରଦା ରେଡ୍ଡୀ, ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ପ୍ରଧାନଶିକ୍ଷକ ରାଜକିଶୋର ପାଣିଗ୍ରାହୀ ଏବଂ ପୂର୍ବତନ ଛାତ୍ର ଅଜିତ ସ୍ୱାଇଁଙ୍କ ସମେତ ଅନ୍ୟ ଶିକ୍ଷକ ଓ ପୁରାତନ ଛାତ୍ରମାନେ ନିଜେ ହାତରେ ଝାଡ଼ୁ ଓ ସଫେଇ ସାମଗ୍ରୀ ଧରି ସ୍କୁଲ ପରିସରକୁ ସଫା କରିଥିଲେ।

ଋଷିକୁଲ୍ୟା ନଦୀ ନିକଟବର୍ତ୍ତୀ ଏହି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ବିଦ୍ୟାଳୟ ମଧ୍ୟରେ ପ୍ରାୟ ୪ରୁ ୫ ଫୁଟ ପାଣି ପଶିଯାଇଥିଲା। ଏହାଯୋଗୁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲପତ୍ର ସମେତ ବିଦ୍ୟାଳୟର ବିଭିନ୍ନ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାଣି ଛାଡ଼ିବା ପରେ ସ୍କୁଲ ଭିତରେ ମୋଟା ପଙ୍କର ସ୍ତର ଜମି ରହିଥିବାରୁ ଦୁର୍ଗନ୍ଧ ଓ ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା।

ବିଦ୍ୟାଳୟ ଖୋଲିବା ପୂର୍ବରୁ ପରିସରକୁ ସ୍ୱଚ୍ଛ ଓ ସୁରକ୍ଷିତ କରିବା ସହ ଛାତ୍ରଛାତ୍ରୀଙ୍କୁ ରୋଗ ସଂକ୍ରମଣରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ସଫେଇ କାର୍ଯ୍ୟ କରାଯାଇଛି। ଜନପ୍ରତିନିଧି, ଶିକ୍ଷକ ଏବଂ ପୁରାତନ ଛାତ୍ରମାନଙ୍କର ଏହିଭଳି ମିଳିତ ଓ ସାମୂହିକ ଶ୍ରମଦାନକୁ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।