ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ
ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କାଣ୍ଡଗୁଡା ଗାଁର ବଳ ମାଝୀ (୫୫)।
ମଳିଥିବା ସୂଚନା ମୁତାବକ, ବଳ ଓ ତାଙ୍କ ସ୍ତ୍ରୀ ଟିଙ୍ଗୁ ମାଝୀ ମଧ୍ୟାହ୍ନରେ କାମ୍ବେଲନାପା ଡଙ୍ଗର ଅଞ୍ଚଳରେ ଥିବା ନିଜ ପୋଡୁ ଚାଷ ଫସଲ ଦେଖିବା ପାଇଁ ଯାଇଥିଲେ। ସେତିକିବେଳେ ହଠାତ୍ ଏକ ଦନ୍ତାହାତୀ ସେମାନଙ୍କ ସାମ୍ନାକୁ ଚାଲିଆସିଥିଲା। ହାତୀକୁ ଦେଖି ଉଭୟ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ବଳଙ୍କୁ ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସ୍ତ୍ରୀ ଟିଙ୍ଗୁ ସେଠାରୁ ଦୂରକୁ ଚାଲିଯାଇ ନିଜକୁ ରକ୍ଷା କରିଥିଲେ।
ଏ ନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୮/୨୬) ରୁଜୁ ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଯୋଗ୍ୟ ହାତୀ ଆକ୍ରମଣରେ ଗତ ଜୁଲାଇ ୩୧ରେ କୁମଖାଲ ପଞ୍ଚାୟତ ପୀଡେଲବାଜୁ ଗ୍ରାମର ତିଲାଏ ହରିଜନ (୬୧) ଓ ଗତମାସ ୨୬ ତାରିଖରେ ବିଜେପୁର ଥାନା ବେଥିଆପଡା ଗ୍ରାମର ଡ୍ରିମ୍ବା ମାଝୀ (୫୫)ଙ୍କ ମୃତ୍ୟୁ ଘଟିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।