ସ୍ଥଳଭାଗ ଅତିକ୍ରମ କଲା 'ଗଭୀର ଅବପାତ' ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ଭୁବନେଶ୍ୱର : ସ୍ଥଳଭାଗ ଅତିକ୍ରମ କଲା ‘ଗଭୀର ଅବପାତ’। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ (Deep Depression) ଗତକାଲି (୨୩ ସେପ୍ଟେମ୍ବର ମଧ୍ୟରାତ୍ରି)ରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଥିବା କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ପ୍ରାୟ ୧୧:୩୦ ଟାରୁ ଆରମ୍ଭ ହୋଇ ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିଲା। ଏହାର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି।ଲ୍ୟାଣ୍ଡଫଲ ସମୟରେ ୭୫ କିଲୋମିଟର ବେଗରେ ପବନ ବୋହିବା ସହ ପ୍ରଚଣ୍ଡ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ନେଇ ଆଗାମୀ ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବା ସହ କ୍ରମଶଃ ଦୁର୍ବଳ ହେବ ବୋଲି ସୂଚନା ରହିଛି ।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ପବନର ବେଗ ଘଣ୍ଟା ପ୍ରତି ୫୦-୬୦ କିମି ରହିବ, ଯାହା ଝଟକା ସହ ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଅବପାତ ଟି ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ସାଧାରଣ ‘ଅବପାତ’ ରେ ପରିଣତ ହେବ । ୨୬ ସେପ୍ଟେମ୍ବର ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୪ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ରହିଛି ରେଡ ୱାର୍ଣ୍ଣିଂ । ସେହିପରି କାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନବରଙ୍ଗପୁରକୁ ରେଡ ୱାର୍ଣ୍ଣିଂଜାରି କରିଛି ପାଣିପାଗ ବିଭାଗ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।