ଖାଇବା ଅନୁପଯୋଗୀ କଟକ ପନିର, ମିଶୁଛି ମଇଦା ଓ ଡିଟରଜେଣ୍ଟ

Sep 24, 2026 - 11:11
ଖାଇବା ଅନୁପଯୋଗୀ କଟକ ପନିର, ମିଶୁଛି ମଇଦା ଓ ଡିଟରଜେଣ୍ଟ

ଭୁବନେଶ୍ୱର :  କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । ମଣିଷ ଖାଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ବୋଲି ରିପୋର୍ଟରେ ଖୁଲାସା ହୋଇଛି । ଗତ ଅଗଷ୍ଟ ମାସରେ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରାଯାଇଥିବା ପ୍ରାୟ ୭୩ କୁଇଣ୍ଟାଲ ପନିର ଖାଇବା ପାଇଁ ଅନୁପଯୁକ୍ତ ବୋଲି ନମୁନା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି । ହରିୟାଣାସ୍ଥିତ ଏକ ଜାତୀୟ ଲ୍ୟାବ୍‌ର ଟେଷ୍ଟ ରିପୋର୍ଟରୁ ଅପମିଶ୍ରଣ ନେଇ ସ୍ପଷ୍ଟ ହୋଇଛି । ଅପମିଶ୍ରଣ ପନିରରେ ମଇଦା, ଷ୍ଟାର୍ଚ (ଭାତ ପେଜ) ଏବଂ କପଡ଼ା ସଫା କରୁଥିବା ବିପଜ୍ଜନକ ଡିଟରଜେଣ୍ଟ ମିଶାଯାଇଥିବା ଜଣାପଡ଼ିଛି।

ଅଗଷ୍ଟ ମାସରେ କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ଓ ଯୋଗାଣ ନେଇ ଅଭିଯୋଗ ପରେ କେଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ସମୟରେ ବିପୁଳ ପରିମାଣର ପନିର ଜବତ କରାଯିବା ସହ ଏହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ହରିୟାଣାସ୍ଥିତ ଲ୍ୟାବ୍ କୁ ପଠାଯାଇଥିଲା । ଏବେ ଆସିଥିବା ପରୀକ୍ଷା ରିପୋର୍ଟରେ ଜବତ ପନିର ଖାଦ୍ୟ ଭାବେ ଉପଯୋଗ ପାଇଁ ଅନୁପଯୁକ୍ତ ବୋଲି ଜଣାପଡ଼ିଛି । 

ରିପୋର୍ଟ ମିଳିବା ପରେ ଏହାକୁ ଫୁଡ୍ ସେଫଟି କମିଶନରଙ୍କ ନିକଟକୁ ପଠାଯାଇଛି । କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଏହି ଘଟଣାରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ ।ଆଗକୁ ମଧ୍ୟ ଅପମିଶ୍ରିତ ଓ ଅସୁରକ୍ଷିତ ଖାଦ୍ୟ ବିରୋଧରେ ଚଢ଼ଉ ଜାରି ରହିବ ବୋଲି କଟକ ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।