ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ
ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା ଜଣେ ଅସହାୟ ବୃଦ୍ଧାଙ୍କ ଶବ, ଆଉ ଚତୁର୍ଦ୍ଦିଗରେ କେବଳ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ସକାଳ ୧୧ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଏହି ଅମାନବୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ଗଞ୍ଜାମ ଏନଏସି ୱାର୍ଡ ନମ୍ୱର ୫ର ବଜାରରେ।
ମୃତକ ଜଣକ ହେଉଛନ୍ତି ସହରର ପରିଚିତ ଚେହେରା। ଯିଏ ଦିନେ ଜରି ଓ ପ୍ଲାଷ୍ଟିକ ବୋତଲ ଗୋଟାଇ ନିଜ ପେଟର ଭୋକ ମେଣ୍ଟାଉଥିଲେ ସୁକୁମାରୀ ନାୟକ। ଯାହାର କେହି ନ ଥିଲେ, ସେ ବୋଧହୁଏ ମଲା ପରେ ମଧ୍ୟ ଏକାକୀ ରହିଗଲେ। ମାସିକ ମାତ୍ର ୧ ହଜାର ଟଙ୍କା ଭତ୍ତା ଓ ୫ କେଜି ଚାଉଳ ଭରସାରେ ଚଳୁଥିବା ସୁକୁମାରୀ ଦୋକାନ ବାରଣ୍ଡା କିମ୍ୱା ରାସ୍ତା କଡ଼ରେ ରାତି କାଟୁଥିଲେ। ହେଲେ ଆଜି ଯେତେବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା, ସେତେବେଳେ ରାସ୍ତା ଦେଇ ଯାଉଥିବା ହଜାର ହଜାର ଲୋକଙ୍କ ପାଇଁ ତାହା କେବଳ ଏକ ଦୃଶ୍ୟ ପାଲଟିଗଲା। କେହି ଜଣେ ବି ପାଖକୁ ଆସି ପୋଲିସକୁ ଖବର ଦେବାକୁ କିମ୍ୱା ମାନବିକତା ଦେଖାଇବାକୁ ଆଗେଇ ଆସିଲେ ନାହିଁ। ଶେଷରେ ସଂଧ୍ୟା ପ୍ରାୟ ୫ଟାରେ କିଛି ସମ୍ପର୍କୀୟ ଖବର ପାଇ ପହଞ୍ଚିଥିଲେ ଏବଂ ଏକ ଡୋଳାରେ ଶବକୁ ବୋହି ନେଇଥିଲେ, ଯାହା ଏକବିଂଶ ଶତାବ୍ଦୀର ସଭ୍ୟ ସମାଜ ପାଇଁ ଏକ ବଡ଼ କଳଙ୍କ। ଏଭଳି ଅଭାବନୀୟ ଘଟଣା ସହରର ବିବେକକୁ ଦୋହଲାଇ ଦେଇଥିବାବେଳେ, କେବଳ ସରକାରୀ ସହାୟତା ନୁହେଁ ବରଂ ନିରାଶ୍ରୟଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ ଓ ସମବେଦନାପୂର୍ଣ୍ଣ ବ୍ୟବସ୍ଥା ନେଇ ସାଧାରଣରେ ଜୋରଦାର ଦାବି ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।