ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର: ୪ଥର ଖେଳିଥିଲେ ବିଶ୍ୱକପ୍‌

Nov 03, 2026 - 07:51
ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର: ୪ଥର ଖେଳିଥିଲେ ବିଶ୍ୱକପ୍‌

ନୂଆଦିଲ୍ଲୀ,୩।୧୧: ଅଷ୍ଟ୍ରେଲିଆ କ୍ରିକେଟକୁ ବଡ଼ ଝଟକା। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ। ଦୀର୍ଘ ୧୪ ବର୍ଷର ଚମତ୍କାର କ୍ରିକେଟ କ୍ୟାରିୟରରେ ସେ ଅଷ୍ଟ୍ରେଲିଆ ପାଇଁ ୨୮୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହା ସହିତ ଲିଷ୍ଟ-ଏ ଓ ଫାଷ୍ଟ କ୍ଲାସ କ୍ରିକେଟକୁ ମଧ୍ୟ ଅଲବିଦା କହିଛନ୍ତି। ତେବେ ଟି-୨୦ ଫ୍ରାଞ୍ଚାଇଜି କ୍ରିକେଟ୍‌ରେ ଖେଳ ଜାରି ରଖିବେ ଏହି ଷ୍ଟାର୍‌ ଖେଳାଳି।

ଗତବର୍ଷ ଜୁନ୍‌ରେ ମ୍ୟାକ୍ସୱେଲ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। କିନ୍ତୁ ଅଷ୍ଟ୍ରେଲିଆର ଟି-୨୦ ଦଳ ପାଇଁ ଖେଳିବା ଜାରି ରଖିଥିଲେ। ୨୦୨୬ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ସେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରି ସେ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି। ମ୍ୟାକ୍ସୱେଲଙ୍କ କହିବା ଅନୁଯାୟୀ, ୨୦୨୮ ଅଲିମ୍ପିକ୍ସ ଓ ବିଶ୍ୱକପକୁ ନଜରରେ ରଖି ଅଷ୍ଟ୍ରେଲିଆ ଦଳକୁ ଯୁବ ଓ ଉତ୍ସାହୀ ଖେଳାଳିଙ୍କ ଆବଶ୍ୟକତା ରହିଛି। ତେଣୁ ଆଗାମୀ କିଛି ମାସ ଦଳ ପାଇଁ ନୂଆ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବ।

ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (MCG)ରେ ନିଜର ଅନ୍ତିମ ମ୍ୟାଚ ଖେଳି ଅବସର ନେବାକୁ ଇଚ୍ଛା ଥିଲା। କିନ୍ତୁ ଦଳର ମ୍ୟାନେଜମେଣ୍ଟ କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ସେ ଭଲ ଭାବେ ବୁଝିପାରୁଛନ୍ତି। ଆଗାମୀ ୧୨ରୁ ୨୪ ମାସ ମଧ୍ୟରେ ଦଳରେ ଅନେକ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। ମ୍ୟାକ୍ସୱେଲଙ୍କ କ୍ରିକେଟ କ୍ୟାରିୟର ଅନେକ ସ୍ମରଣୀୟ ସଫଳତାରେ ଭରପୂର। ସେ ୨୦୧୫ ଓ ୨୦୨୩ରେ ଅଷ୍ଟ୍ରେଲିଆ ସହ ଦୁଇଥର ଦିନିକିଆ ବିଶ୍ୱକପ ଜିତିଥିବା ବେଳେ ୨୦୨୧ରେ ଟି-୨୦ ବିଶ୍ୱକପ ବିଜୟୀ ଦଳର ମଧ୍ୟ ସଦସ୍ୟ ଥିଲେ।

ନିଜର ୨୮୬ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମ୍ୟାକ୍ସୱେଲ ୭,୨୨୬ ରନ ସଂଗ୍ରହ କରିବା ସହ ବୋଲିଂରେ ୧୩୬ଟି ଉଇକେଟ ହାସଲ କରିଛନ୍ତି। ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ତାଙ୍କର ଅବଦାନ ଅଷ୍ଟ୍ରେଲିଆ ଦଳ ପାଇଁ ସ୍ମରଣୀୟ ହୋଇ ରହିବ। ଘରୋଇ ଦଳ ଭିକ୍ଟୋରିଆ ପାଇଁ ନିଜର ଶେଷ ଦିନିକିଆ ମ୍ୟାଚ ଖେଳିବା ପରେ ସାଥୀ ଖେଳାଳିଙ୍କୁ ଅବସର ସମ୍ପର୍କରେ ଜଣାଇବା ତାଙ୍କ ପାଇଁ ଆଶାଠାରୁ ଅଧିକ କଷ୍ଟକର ଥିଲା ବୋଲି ମ୍ୟାକ୍ସୱେଲ କହିଛନ୍ତି। ଏବେ ନିଜ ଶାରୀରିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ସହ କ୍ୟାରିୟରର ଶେଷ କିଛି ଟୁର୍ନାମେଣ୍ଟରେ ଖେଳିବାକୁ ସେ ଚାହୁଁଛନ୍ତି।

ତେବେ ଟି-୨୦ ଫ୍ରାଞ୍ଚାଇଜି କ୍ରିକେଟ୍‌ରୁ ମ୍ୟାକ୍ସୱେଲ ଅବସର ନେଇନାହାନ୍ତି। ୨୦୨୬-୨୭ ବିଗ ବାସ ଲିଗ (BBL) ସିଜନ୍‌ରେ ସେ ମେଲବୋର୍ଣ୍ଣ ଷ୍ଟାର୍ସ ପାଇଁ ଖେଳିବାକୁ ଉପଲବ୍ଧ ରହିବେ। ଏପରିକି ତାଙ୍କୁ ଦଳ ପକ୍ଷରୁ ଚୁକ୍ତିର ଅବଧି ବୃଦ୍ଧି ମିଳିବାର ମଧ୍ୟ ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।