ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

Aug 20, 2026 - 11:35
ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ ମାଡ଼ିଆସିଥିଲେ। ବନ ବିଭାଗ କର୍ମଚାରୀମାନେ ହାତୀଗୁଡ଼ିକୁ ଦେଖି ତୁରନ୍ତ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଏବଂ ଲୁମଡିଂ ରେଳ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲେ। ଫଳରେ ରାଜଧାନୀ ଏକ୍ସପ୍ରେସ୍‌କୁ ଅଟକାଇ ଦିଆଯାଇଥିଲା।

ଏହି ଘଟଣା ହୋଜାଇର ହାଓ୍ବାଇପୁର ଅଞ୍ଚଳରେ ଘଟିଛି, ଯାହା ଲଙ୍କା ରେଞ୍ଜ ଏବଂ ନାଗାଓଁ ସାଉଥ୍‌ ଡିଭିଜନ ଅଧୀନରେ ଆସିଥାଏ। ହାତୀପଲ ଟ୍ରାକ୍‌ ପାର ହେଉଥିବାବେଳେ ବନ ଅଧିକାରୀଙ୍କ ସତର୍କତା ଏବଂ ରେଳ ସହିତ ତୁରନ୍ତ ସମନ୍ବୟ ଏକ ବଡ଼ ଦୁର୍ଘଟଣାକୁ ରୋକି ଦେଇଛି। ରାଜଧାନୀ ଏକ୍ସପ୍ରେସକୁ ଅଟକାଇ ଦିଆଯାଇଥିଲା। ପରେ ହାତୀମାନେ ସୁରକ୍ଷିତ ଭାବରେ ଟ୍ରାକ ପାର୍‌ ହେବା ପରେ, ଟ୍ରେନ୍‌କୁ ଆଗକୁ ଯିବାକୁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ତୀବ୍ରବେଗରେ ଭାଇରାଲ ହେଉଛି।

ଭିଡିଓରେ ବନ ବିଭାଗର କର୍ମଚାରୀମାନେ ରେଳ ଟ୍ରାକ୍‌ ପାଖରେ ଠିଆ ହୋଇ ଟ୍ରେନ୍‌କୁ ଅଟକାଇବାକୁ ଇଙ୍ଗିତ କରୁଥିବାର ଦେଖାଯାଉଛି, ସେତେବେଳେ ହାତୀପଲ ଟ୍ରାକ୍‌ ପାର୍‌ ହେଉଥିବାର ଦେଖାଯାଉଛି। ଆସାମ ଜଙ୍ଗଲ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ ମଧ୍ୟ ସୋସିଆଲ ମିଡିଆରେ ଘଟଣାର ଏହି ଭିଡିଓ ଶେୟାର କରିଛନ୍ତି।

ଘଟଣା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ହାତୀପଲକୁ ସୁରକ୍ଷିତ ଭାବରେ ରେଳପଥ ପାର୍‌ କରିବା ପାଇଁ ହାଓ୍ବାଇପୁରରେ ୧୬୭/୮ କିଲୋମିଟର ନିକଟରେ ଡାଉନ ରାଜଧାନୀ ଏକ୍ସପ୍ରେସ୍‌କୁ ଅଟକାଯାଇଥିଲା। ସେ ବନ ବିଭାଗ କର୍ମଚାରୀ ଲୋକୋ ପାଇଲଟ୍‌ ଏବଂ ଲୁମଡିଂ ରେଳ ନିୟନ୍ତ୍ରଣ କକ୍ଷର ସତର୍କତାକୁ ପ୍ରଶଂସା କରିଥିଲେ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଘଟଣାର ଏକ ଭିଡିଓ ଶେୟାର କରିଛନ୍ତି। ସେ ବନ ବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ହାତୀମାନେ ସୁରକ୍ଷିତ ଭାବରେ ରେଳପଥ ପାର ହୋଇପାରିବେ ତାହା ନିଶ୍ଚିତ କରିବା ପାଇଁ ବନ ଅଧିକାରୀମାନେ ହାତୀ କରିଡର ଥିବା ଅଞ୍ଚଳରେ ରେଳପଥ ଉପରେ ନିରନ୍ତର ନଜର ରଖନ୍ତି। ଆସାମରେ ରେଳପଥରେ ହାତୀ ସୁରକ୍ଷା ଏକ ଗମ୍ଭୀର ସମସ୍ୟା ହୋଇଛି। ଡିସେମ୍ବର ୨୦୨୫ରେ ହୋଜାଇ ଜିଲାରେ ରାଜଧାନୀ ଏକ୍ସପ୍ରେସ୍‌ ହାତୀପଲ ସହିତ ଧକ୍କା ହେବା ଫଳରେ ୭ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏଥର ବନ ବିଭାଗର ସମୟୋଚିତ ପଦକ୍ଷେପ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।