ହରିୟାଣାରେ ଶ୍ରୀନଗର ଯାଉଥିବା ବସ୍ ଉପରେ ଆକ୍ରମଣ: ଡ୍ରାଇଭରଙ୍କୁ ‘ଆତଙ୍କବାଦୀ’ କହିଲେ ୨ ଯୁବକ, ଅଟକ ରଖିଲା ପୁଲିସ
କର୍ନାଲ୍ : ହରିୟାଣାର କର୍ନାଲ୍ ଜିଲ୍ଲାରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଘରୋଇ ବସ୍ ଉପରେ ପଥର ଓ ଇଟା ମାଡ଼ ହୋଇଛି। ଏଥିରେ ବସ୍ର ଅନେକ ଝରକା କାଚ ଭାଙ୍ଗିଯାଇଥିବା ବେଳେ ଜଣେ ବୟସ୍କ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖିଛି। ଏହି ଘଟଣାକୁ ନେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ହରିୟାଣା ପୁଲିସ ଏହାକୁ ପାର୍କିଂ ଓ ରାସ୍ତା ଛାଡ଼ିବାକୁ ନେଇ ହୋଇଥିବା ବିବାଦ ବୋଲି କହିଛି। ସୂଚନାଯୋଗ୍ୟ ଅକ୍ଟୋବର ୧୭ ତାରିଖ ରାତି ପ୍ରାୟ ୧୦ଟା ୩୦ ମିନିଟ୍ରେ ଜମ୍ମୁ-କାଶ୍ମୀର ନମ୍ବର ଥିବା ଏକ ସ୍ଲିପର ବସ୍ ହରିୟାଣାର କରନାଲ ଜିଲ୍ଲାର ନିଲୋଖେଡ଼ି ନିକଟ ବୁଟାନାସ୍ଥିତ ଡିଭାଇନ୍ ଷ୍ଟାର ଢାବାରେ ଖାଇବା ପାଇଁ ଅଟକିଥିଲା।ପୁଲିସ ଅନୁଯାୟୀ, ବସ୍ର ଜଣେ ଯାତ୍ରୀ ଓ ଏକ କାର୍ରେ ଆସିଥିବା ଦୁଇ ଯୁବକଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା ଏବଂ ଦୁଇ ଯୁବକ ନିକଟରେ ପଡ଼ିଥିବା ପଥର ଓ ଇଟାରେ ବସ୍ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ବସ୍ର ଅନେକ ଝରକା କାଚ ଭାଙ୍ଗିଯାଇଥିଲା। ଭଙ୍ଗା କାଚ ବାଜି ଜଣେ ବୟସ୍କ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ପରେ ବସ୍ଟି ଜମ୍ମୁ-କାଶ୍ମୀର ଅଭିମୁଖେ ଯାତ୍ରା ଜାରି ରଖିଥିଲା। ବସ୍ ଡ୍ରାଇଭର ୱକାରଙ୍କ କହିବା ଅନୁଯାୟୀ, ବସ୍ଟି ଡିଭାଇନ୍ ଷ୍ଟାର ହୋଟେଲରେ ରାତ୍ରିଭୋଜନ ପାଇଁ ଅଟକିଥିଲା। ସେଠାରେ ପୂର୍ବରୁ ଏକ ବାଲେନୋ କାର୍ ପାର୍କିଂ ହୋଇଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ, ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ କେହି ଜଣେ ଚିତ୍କାର କରି କହିଥିଲେ, ‘ଆତଙ୍କବାଦୀ ଗାଡ଼ି, ଏଠାରୁ ବାହାର କର’ଏବଂ ବସ୍କୁ ସେଠାରୁ ନେଇଯିବାକୁ ଦାବି କରିଥିଲେ। ଡ୍ରାଇଭର ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ବସ୍ର ସାମ୍ନା କାଚ ଭାଙ୍ଗିବା ସହ ନମ୍ବର ପ୍ଲେଟ୍ ନଷ୍ଟ କରିଥିଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ ବୋଲି ୱକାର ଅଭିଯୋଗ କରିଛନ୍ତି। ଏହାପରେ ଅନ୍ୟ କେତେକ ଲୋକ ମଧ୍ୟ ଆକ୍ରମଣରେ ସାମିଲ ହୋଇଥିଲେ। ସେମାନେ ବସ୍ରେ ଥିବା ଲୋକଙ୍କୁ ଗୁଳି କରିବା, ବସ୍ରେ ନିଆଁ ଲଗାଇବା ଓ ହତ୍ୟା କରିବାକୁ ଧମକ ଦେଇଥିବା ଡ୍ରାଇଭର କହିଛନ୍ତି। ଜମ୍ମୁ-କାଶ୍ମୀର ନମ୍ବର ଥିବା ଗାଡ଼ି ହରିୟାଣାରେ ଚାଲୁଥିବାକୁ ନେଇ ମଧ୍ୟ ଆକ୍ରମଣକାରୀମାନେ ବାରମ୍ବାର ଆପତ୍ତି କରିଥିବା ତାଙ୍କ ଅଭିଯୋଗ। ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସ ନେତା ଇମ୍ରାନ ନବି ଦାର ଏହି ଘଟଣାକୁ କାଶ୍ମୀରୀ ଯାତ୍ରୀମାନଙ୍କୁ ଲକ୍ଷ୍ୟ କରି ହୋଇଥିବା ଏକ ସମ୍ଭାବ୍ୟ ଘୃଣାଜନିତ ଅପରାଧ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ନମ୍ବର ଥିବା ବସ୍ରେ କାଶ୍ମୀରୀ ପରିବାର ଯାତ୍ରା କରୁଥିବା ସମୟରେ ପଥର ଓ ଇଟା ମାଡ଼ କରାଯାଇଥିଲା। ଏହା ଫଳରେ ଜଣେ ବୟସ୍କ ଯାତ୍ରୀ ଆହତ ହେବା ସହ ବସ୍ରେ ଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ହରିୟାଣା ସରକାର ଓ ପୁଲିସକୁ ଅଭିଯୁକ୍ତମାନଙ୍କୁ ଧରିବା ସହ ଏପରି ଘଟଣାର ପୁନରାବୃତ୍ତି ରୋକିବାକୁ ଆହ୍ୱାନ ଦେଇଛନ୍ତି।ହରିୟାଣା ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଘଟଣା ଧର୍ମୀୟ ବିବାଦ ନୁହେଁ ବରଂ ପାର୍କିଂ ଓ ରାସ୍ତା ଛାଡ଼ିବାକୁ ନେଇ ହୋଇଥିବା ବିବାଦରୁ ଆକ୍ରମଣ ଘଟିଛି। ବୁଟାନା ଥାନାର ଏସ୍ଏଚ୍ଓ ବିପିନ କୁମାର ଓ ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, କାର୍ରେ ଥିବା ଦୁଇ ଯୁବକଙ୍କ ନାମ ମୋହିତ ଓ ସାୱନ। ସେମାନେ ୟୁନିସପୁରା ଗାଁର ବାସିନ୍ଦା। ପୁଲିସ କହିଛି ଯେ, ବିବାଦ ପୂର୍ବରୁ ତିନି ଜଣ ଯାକ ମଦ୍ୟପାନ କରିଥିଲେ। ପରେ ଦୁଇ ଯୁବକ ନିକଟରେ ପଡ଼ିଥିବା ପଥର ଓ ଇଟାରେ ବସ୍ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଅନେକ ଝରକା କାଚ ଭାଙ୍ଗିଯାଇଥିଲା ଓ ଜଣେ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ଅନୁଯାୟୀ, ଏପର୍ଯ୍ୟନ୍ତ ବସ୍ର ଯାତ୍ରୀ କିମ୍ବା କାର୍ରେ ଥିବା ଲୋକଙ୍କ ପକ୍ଷରୁ ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇନାହିଁ। ତେବେ ପୁଲିସ ନିଜ ଆଡ଼ୁ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ବସ୍ ଯାତ୍ରୀମାନଙ୍କ ସହ ଯୋଗାଯୋଗରେ ରହିଛି। ପଥର ମାଡ଼ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି। ଏହା ସହ ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ଏବଂ ବସ୍ର କ୍ଷୟକ୍ଷତି ପାଇଁ ଦୁଇ ଯୁବକ କ୍ଷତିପୂରଣ ଦେବାକୁ ରାଜି ହୋଇଥିବା ପୁଲିସ ଜଣାଇଛି। ପୁଲିସ ଅଧିକାରୀମାନେ କହିଛନ୍ତି, ଏହା ଧର୍ମ ସମ୍ବନ୍ଧୀୟ ଘଟଣା ନୁହେଁ। ଆମେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରୁଛୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।