ପଞ୍ଜାବରେ କାମ କରୁଥିବାବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‌, ୮ ମୃତ

Oct 18, 2026 - 21:06
ପଞ୍ଜାବରେ କାମ କରୁଥିବାବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‌, ୮ ମୃତ

ଅମୃତସର : ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଶ୍ରମିକମାନେ କାମ କରୁଥିବାବେଳେ ସେମାନଙ୍କ ଉପରେ ଦ୍ରୁତଗାମୀ କାର୍‌ ମାଡ଼ିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଲେହରାଗାଗା–ଜାଖଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୩ ଜଣ ଶ୍ରମିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତତା ଆଇନ (ମନରେଗା) ଅଧୀନରେ ରାସ୍ତା କାମ କରୁଥିଲେ। ଏହି ସମୟରେ ଏକ ଦ୍ରୁତଗତିରେ ଆସୁଥିବା କାର୍ ଶ୍ରମିକମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହାହାକାର ସୃଷ୍ଟି ହୋଇଥିଲା। ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। ଦୁର୍ଘଟଣାରେ ସମ୍ପୃକ୍ତ କାର୍‌ଟି ଏକ ଚେଭ୍ରୋଲେଟ୍‌ ମାଗନମ୍‌ ଥିଲା। ରିପୋର୍ଟ ଅନୁଯାୟୀ, କାର୍ ଚାଳକଙ୍କ ନାମ ପରଗତ ସିଂହ କାଲା ଏବଂ ସେ ରାଇଧରାନା ଅଞ୍ଚଳର ବାସିନ୍ଦା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣ ଶ୍ରମିକଙ୍କ ନାମ ହେଉଛି କରମଜିତ କୌର, ଜୀବନ ସିଂହ, ନିକି, ସରବଜିତ କୌର, ରଣଜିତ କୌର, କରମଜିତ, ରାଣୀ କୌର, ଦେଶ ରାଜ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୁଲିସ ସହାୟତା ଓ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ପ୍ରଶ୍ନ ଉଠାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।