ହୀରାକୁଦ ରେ ଖୋଲିଲା ଆଉ ୩ ଗେଟ , ୮ଟି ଗେଟ ଦେଇ ଜଳ ନିଷ୍କାସନ ଜାରି
ଭୁବନେଶ୍ୱର : ଉପରମୁଣ୍ଡ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ବନ୍ୟାଜଳ ପ୍ରବେଶ କରୁଛି। ଏହି ପରିସ୍ଥିତିରେ ଆଜି ପୁଣି ଅତିରିକ୍ତ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ହେଉଛି ।
ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଆଗାମୀ ଦିନରେ ବର୍ଷାର ପରିମାଣ ଓ ଜଳପ୍ରବେଶକୁ ଆକଳନ କରି ଗେଟ୍ ସଂଖ୍ୟା ବଢ଼ାଯିବ କିମ୍ବା କମାଯିବ। ସେଥିପାଇଁ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।
ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ସହ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବଢ଼ୁଥିବାରୁ ମହାନଦୀ ଅବବାହିକାର ଜିଲ୍ଲାଗୁଡ଼ିକର ପ୍ରଶାସନକୁ ହାଇଆଲର୍ଟ ରଖାଯାଇଛି । ନଦୀ କୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ନଦୀ ନିକଟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟ ପାଇଁ ବଡ଼ ସତର୍କ ସୂଚନା ଜାରି କରିଛି । ଆଜି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ ଅନ୍ୟ କିଛି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।