ୟୁସିସିକୁ ନେଇ ବିହାର ରାଜନୀତି ସରଗରମ
ପାଟନା,: ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ବିହାରରେ ରାଜନୀତି ସରଗରମ ହୋଇ ଉଠିଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ଜନତା ଦଳ (ୟୁନାଇଟେଡ୍) ବା ଜେଡିୟୁକୁ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନ୍ଡିଏ ଛାଡ଼ି ମହାମେଣ୍ଟରେ ସାମିଲ ହୋଇ ସରକାର ଗଠନ କରିବାକୁ ଆହ୍ୱାନ ଦେଇଛି। ଆର୍ଜେଡିର ବରିଷ୍ଠ ନେତା ଭାଇ ବୀରେନ୍ଦ୍ର ବୁଧବାର ଏହି ଆହ୍ୱାନ ଦେଇଛନ୍ତି। ତେବେ ଜେଡିୟୁ ସହ ଏନେଇ କୌଣସି ଆଲୋଚନା ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। ୟୁସିସିକୁ ନେଇ ଜେଡିୟୁ ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ପ୍ରକାଶ ପାଇଛି। ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ ଶ୍ୟାମ ରଜକ ବିହାରରେ ୟୁସିସି କାର୍ଯ୍ୟକାରୀ ନ କରିବା ସପକ୍ଷରେ ମତ ଦେଇଥିବାବେଳେ ନାଳନ୍ଦା ସାଂସଦ କୌଶଳେନ୍ଦ୍ର କୁମାର ମଧ୍ୟ ଦଳର ପୂର୍ବ ଆଭିମୁଖ୍ୟର କଥା ଉଠାଇଛନ୍ତି। ତେବେ ଜେଡିୟୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ କହିଛନ୍ତି, ୟୁସିସିର ପ୍ରସ୍ତାବିତ ବ୍ୟବସ୍ଥାଗୁଡ଼ିକୁ ଦଳ ପ୍ରଥମେ ଅଧ୍ୟୟନ କରିବ। ବ୍ୟବସ୍ଥାଗୁଡ଼ିକରେ ଆପତ୍ତିଜନକ କିଛି ନ ଥିଲେ ବିରୋଧ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶ୍ୟାମ ରଜକ ଆର୍ଜେଡି ସହ ଜେଡିୟୁ ହାତ ମିଳାଇବା ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଏହି ବିତର୍କର ମୂଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ୨୦୨୯ ପୂର୍ବରୁ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକରେ ୟୁସିସି କାର୍ଯ୍ୟକାରୀ କରିବା ସମ୍ପର୍କିତ ମନ୍ତବ୍ୟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।