୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ ଦେଲା କଡ଼ା ଜବାବ, କହିଲା…

Sep 17, 2026 - 11:22
୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ ଦେଲା କଡ଼ା ଜବାବ, କହିଲା…

ନୂଆଦିଲ୍ଲୀ, ୧୭।୯: ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକାର ସଂସଦରେ ଏ ସମ୍ପର୍କିତ ବିଲ ପାରିତ ହେବା ପରେ ଗୁରୁବାର ବିଦେଶ ମନ୍ତ୍ରଣାଳୟ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛି।

ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଦେଶର ୧୪୦ କୋଟିରୁ ଅଧିକ ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ଭାରତର ପ୍ରାଥମିକତା। ଭାରତ ନିଜ ଶକ୍ତି ସୁରକ୍ଷା ପାଇଁ ବିଭିନ୍ନ ଦେଶରୁ ତେଲ ଓ ଗ୍ୟାସ କିଣିବା ଜାରି ରଖିବ। ବଜାରର ପରିବର୍ତ୍ତିତ ପରିସ୍ଥିତି ଓ ଦେଶର ହିତକୁ ଦୃଷ୍ଟିରେ ରଖି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟ କହିଛି।

ଭାରତ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ଗତ କିଛି ମାସ ଧରି ଆମେରିକୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଭାରତ ଆମେରିକାକୁ ଏହା ମଧ୍ୟ ଜଣାଇଛି ଯେ, ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାର ପ୍ରଭାବ କେବଳ ଭାରତ-ଆମେରିକା ସମ୍ପର୍କରେ ସୀମିତ ରହିବ ନାହିଁ; ଏହାର ପ୍ରଭାବ ବିଶ୍ୱ ଶକ୍ତି ବଜାର ଉପରେ ମଧ୍ୟ ପଡ଼ିପାରେ।

ଭାରତ କହିଛି ଯେ, ଦେଶର ବାଣିଜ୍ୟ ଓ ଆର୍ଥିକ ସ୍ବାର୍ଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ସରକାର ଭାରତୀୟ ବ୍ୟବସାୟ ଓ ଶିଳ୍ପ ସଂଗଠନଗୁଡ଼ିକ ସହ ମିଶି ନୂଆ ପରିସ୍ଥିତିର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ପ୍ରସ୍ତୁତି କରିବ।
ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲଗାଇବାର ବ୍ୟବସ୍ଥା ଥିବା ଆମେରିକୀୟ ବିଲ ସଂସଦରେ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନର ରୂପ ନେଇପାରେ।

ଭାରତ ଓ ଚାଇନା ସମେତ ଅନେକ ଦେଶ ରୁଷିଆରୁ ଅଶୋଧିତ ତେଲ କିଣୁଛନ୍ତି। ରୁଷିଆରୁ ତୁଳନାମୂଳକ କମ ଦରରେ ତେଲ ମିଳୁଥିବାରୁ ଭାରତ ନିଜର ଶକ୍ତି ଆବଶ୍ୟକତା ପୂରଣରେ ଏହି ଆମଦାନିକୁ ଗୁରୁତ୍ୱ ଦେଇଆସୁଛି।
ତେବେ ରୁଷିଆରୁ ତେଲ କିଣା ଜାରି ରଖିବାକୁ ନେଇ ଆମେରିକାର ଚାପ ବଢ଼ୁଥିବା ପରିପ୍ରେକ୍ଷୀରେ ଭାରତ ନିଜର ଶକ୍ତି ସୁରକ୍ଷା ଓ ଆର୍ଥିକ ସ୍ବାର୍ଥକୁ କେନ୍ଦ୍ରରେ ରଖି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସଙ୍କେତ ଦେଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।