ଅଜବ ପ୍ରେମ…୧୯ ବର୍ଷୀୟ ଜ୍ୱାଇଁ ପ୍ରେମରେ ୫ ସନ୍ତାନର ମା’! ଝିଅର ସ୍ୱାମୀଙ୍କୁ ନେଇ ଶାଶୁ ଫେରାର

Sep 17, 2026 - 12:26
ଅଜବ ପ୍ରେମ…୧୯ ବର୍ଷୀୟ ଜ୍ୱାଇଁ ପ୍ରେମରେ ୫ ସନ୍ତାନର ମା’! ଝିଅର ସ୍ୱାମୀଙ୍କୁ ନେଇ ଶାଶୁ ଫେରାର

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶର ମୈନପୁରୀରୁ ଶାଶୁ-ଜ୍ବାଇଁଙ୍କ ସମ୍ପର୍କକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଜଣେ ମହିଳା ନିଜ ଜ୍ବାଇଁଙ୍କ ସହ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପରିବାରରେ ଝଡ ସୃଷ୍ଟି ହେବା ସହ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁସାରେ, ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ଏବଂ ତାଙ୍କର ୫ ଜଣ ସନ୍ତାନ ଅଛନ୍ତି । ଅନ୍ୟପଟେ, ଯୁବକଙ୍କ ବୟସ ୧୯ ବର୍ଷ ବୋଲି ସେ ନିଜେ କହିଛନ୍ତି । ତେବେ ତାଙ୍କ ଆଧାର କାର୍ଡରେ ବୟସ କମ୍ ଲେଖାଯାଇଥିବା ସେ ଦାବି କରିଛନ୍ତି । ଯୁବକଙ୍କ କହିବା ଅନୁସାରେ, ପ୍ରାୟ ଦେଢ଼ ମାସ ପୂର୍ବରୁ ଫୋନ୍‌ ଯୋଗେ ମହିଳାଙ୍କ ସହ ତାଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପରେ ଦୁହିଁଙ୍କ ମଧ୍ୟରେ ନିକଟତା ବଢ଼ିଥିବା ସେ କହିଛନ୍ତି । ଏବେ ସେ ମହିଳାଙ୍କ ସହ ରହିବାକୁ ଚାହୁଁଥିବା ଏବଂ ତାଙ୍କ ୫ ସନ୍ତାନଙ୍କୁ ମଧ୍ୟ ନିଜ ସହ ରଖିବାକୁ ପ୍ରସ୍ତୁତ ଥିବା ଦାବି କରିଛନ୍ତି । ପରିବାର ଏହି ସମ୍ପର୍କକୁ ବିରୋଧ କରିଥିବା ବେଳେ ମହିଳା ଓ ଯୁବକ ପରସ୍ପରକୁ ଛାଡ଼ିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି।

ଘଟଣାଟି ମୈନପୁରୀ କୋତୱାଲି ଅଞ୍ଚଳର ଖରଗଜିତ ନଗର ସହ ଜଡ଼ିତ ବୋଲି ରିପୋର୍ଟରେ କୁହାଯାଇଛି । ମହିଳା ଜଣକ ନିଜ ଜଣେ ସମ୍ପର୍କୀୟଙ୍କ ଘରେ ଯୁବକଙ୍କ ସହ ଥିବା ଖବର ପାଇ ପରିବାର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ । ଏହାକୁ ନେଇ ହଙ୍ଗାମା ହୋଇଥିଲା। ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରିବାର ପକ୍ଷରୁ ହୋଇଥିବା ଅଭିଯୋଗର ସତ୍ୟତା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରକୃତ ସମ୍ପର୍କ କ’ଣ, ସେନେଇ ପୋଲିସ ଯାଞ୍ଚ କରୁଥିବା ଜଣାପଡ଼ିଛି । ମହିଳା ମୈନପୁରୀର ଘିରୋର ଥାନା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଯୁବକ କୁରାୱଲି ଥାନା ଅଞ୍ଚଳର ସୋନାଇ ଅଶୋକପୁର ଗାଁର ବାସିନ୍ଦା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ମୈନପୁରୀର ଏହି ଘଟଣା ପରେ ୨୦୨୫ ମସିହାରେ ଉତ୍ତରପ୍ରଦେଶର ଅଲିଗଡ଼ରେ ସାମ୍ନାକୁ ଆସିଥିବା ଏକ ସମାନ ଘଟଣା ଚର୍ଚ୍ଚାକୁ ଆସିଛି। ସେତେବେଳେ ମଡରାକ ଅଞ୍ଚଳର ସପ୍ନା ନିଜ ହେବାକୁ ଥିବା ଜ୍ବାଇଁ ରାହୁଲଙ୍କ ସହ ଘର ଛାଡ଼ିଥିବା ଖବର ସାମ୍ନାକୁ ଆସିଥିଲା। ପରେ ଦୁହେଁ ଉତ୍ତରପ୍ରଦେଶରୁ ବିହାରର ସୀତାମଢ଼ି ଯାଇ ଏକାଠି ରହୁଥିବା ରିପୋର୍ଟ ହୋଇଥିଲା। ମୈନପୁରୀର ବର୍ତ୍ତମାନ ଘଟଣାରେ ମଧ୍ୟ ପୋଲିସ ତଦନ୍ତ ପରେ ହିଁ ସମ୍ପର୍କ ଓ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।