୨୩-୨୪ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା;ଜିଲ୍ଲାପାଳଙ୍କୁ ଆଲର୍ଟ
ଭୁବନେଶ୍ଵର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଓଡ଼ିଶାରେ ପୁଣି ବଢ଼ିଛି ବର୍ଷା ଆଶଙ୍କା। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ଅବପାତ ଏବଂ ପରେ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୩ ତାରିଖ ସକାଳ ସୁଦ୍ଧା ଓଡିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷିବା ନେଇ ଆଶଙ୍କା ଦେଖାଦେଇଛି।
ବର୍ତ୍ତମାନର ଆକଳନ ଅନୁସାରେ ଏହା ବାତ୍ୟାରେ ପରିଣତ ହେବା ନେଇ ଆଇଏମଡି ପକ୍ଷରୁ ସ୍ପଷ୍ଟ ସୂଚନା ନାହିଁ। ତେବେ ଲଘୁଚାପର ପ୍ରଭାବରେ ୨୩ ଓ ୨୪ ତାରିଖରେ ଓଡିଶାର ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି।ସରକାର ପକ୍ଷରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ନେଇ ସତର୍କତା ବଢ଼ାଯାଇଛି। ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ସହ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି। ଇନ୍ଦ୍ରାବତୀ ଏବଂ ତେଲିଙ୍ଗିରି ଡ୍ୟାମ୍ରେ ପାଣି କମାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ବାଲିମେଳା ଓ କୋଲାବରେ ବର୍ତ୍ତମାନ ସେତେ ଅଧିକ ପାଣି ନଥିବା ଅଧିକାରୀମାନେ କହିଛନ୍ତି।ପ୍ରବଳ ବର୍ଷା ନେଇ ଆଶଙ୍କା ରହିଥିବାରୁ ଓଡ଼ିଶାର ବିଭିନ୍ନ ନଦୀ, ନାଳ ଏବଂ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।