୨୬ରୁ ବର୍ଷା: ଏହି ଦିନ ବାତ୍ୟା ଲ୍ୟାଣ୍ଡଫଲ୍ ,ସତର୍କ କଲା ଆଇଏମ୍ଡି
ଭୁବନେଶ୍ୱର,୨୪ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତର ରୂପ ନେବ। ୨୫ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ। ୨୬ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୨୮ ତାରିଖ ସକାଳେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହପାତ୍ର ସୂଚନା ଦେଇଛନ୍ତି। ତେବେ ବାତ୍ୟା କେଉଁ ସମୟରେ ଓ କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇ ନ ଥିବାବେଳେ ମଧ୍ୟ ଏହାର ପ୍ରଭାବରେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବ। ଶନିବାର ଅବପାତ ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି. ଓ କିଛି ସ୍ଥାନରେ ୬୫କି.ମି. ପର୍ଯ୍ୟନ୍ତ ରହିପାରେ। ରବିବାର ପବନର ବେଗ ୫୫ରୁ ୭୫ କି.ମି. ଏବଂ ସୋମବାର ୭୦ରୁ ୯୦ କି.ମି. ରହିବାର ସମ୍ଭାବନା ଅଛି। ବାତ୍ୟା ଉପକୂଳ ମୁହଁା ହେଲେ ପବନର ବେଗ କ୍ରମଶଃ ବୃଦ୍ଧି ପାଇବ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୨୬ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୨୭ ଓ ୨୮ ଦୁଇଦିନ ଧରି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୭ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଜାରି ହୋଇଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ଅନ୍ୟ ଜିଲାଗୁଡିକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ୨୮ ତାରିଖ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ରେଡ୍ ଓ୍ବାର୍ନିଂ ଦିଆଯାଇଛି। ତେବେ ସମ୍ପୂର୍ଣ୍ଣ ରାଜ୍ୟରେ ବର୍ଷା ଜାରି ରହିବ ଏବଂ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ତେଣୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ୨୪ ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।