ଇସିଆଇ ମୁଖ୍ୟାଳୟକୁ ଏସ୍‌ଆଇଆର୍‌ ବିରୋଧୀ ପଦଯାତ୍ରା

Oct 24, 2026 - 09:20
ଇସିଆଇ ମୁଖ୍ୟାଳୟକୁ ଏସ୍‌ଆଇଆର୍‌ ବିରୋଧୀ ପଦଯାତ୍ରା

ନୂଆଦିଲ୍ଲୀ,୨୪ା୧୦: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବିରୋଧରେ ଶୁକ୍ରବାର କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଭାରତର ନିର୍ବାଚନ କମିଶନ (ଇସିଆଇ) ମୁଖ୍ୟାଳୟ ଅଭିମୁଖେ ପଦଯାତ୍ରାରେ ଯାଉଥିବା ଶତାଧିକ ବିକ୍ଷୋଭକାରୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏଥିସହିତ ସମାବେଶ ରୋକିବା ପାଇଁ ଉକ୍ତ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୬୩ ଲାଗୁ କରାଯାଇଛି।
ଦିଲ୍ଲୀ କୋ-ଅର୍ଡିନେଶନ କମିଟି ଅଫ୍‌ ପିପୁଲ୍‌ ଏଗେନେଷ୍ଟ ଏସ୍‌ଆଇଆର୍‌ ପକ୍ଷରୁ ପଦଯାତ୍ରାର ଡାକରା ଦିଆଯାଇଥିଲା। କାଳୀବାରି ମାର୍ଗ ଓ ଭାଇ ବୀରସିଂ ମାର୍ଗ ମଧ୍ୟବର୍ତ୍ତୀ ଗୋଲ ଡାକ୍‌ ଖାନା ନିକଟରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀମାନେ ଜାତୀୟ ପତାକା ଓ ବ୍ୟାନର ଧରି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଥିଲେ। ବିକ୍ଷୋଭକାରୀମାନେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେବା ସହ ଏସ୍‌ଆଇଆର୍‌ ବନ୍ଦ ହେଉ, ଭୋଟ ଚୋରିକୁ ବରଦାସ୍ତ କରିବୁ ନାହିଁ ବୋଲି କହିଥିଲେ।
ବିକ୍ଷୋଭ ପଦଯାତ୍ରାରେ ଛାତ୍ରୀଛାତ୍ର, ଯୁବବର୍ଗ ଓ କୃଷକମାନଙ୍କ ସହ ସିପିଆଇ(ଏମ୍‌) ନେତା ବ୍ରିନ୍ଦା କରାଟ, ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଓ୍ବମେନ୍‌ସ ଆସୋସିଏଶନ (ଏଆଇଡିଡବ୍ଳ୍ୟୁଏ) ଏବଂ ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେଶନ (ଏଆଇଡିଏସ୍‌ଓ)ର ସଦସ୍ୟମାନେ ଯୋଗଦେଇଥିଲେ। କ୍ରାନ୍ତିକାରୀ ଯୁବ ସଂଗଠନ (କଓ୍ବୋଇଏସ୍‌ ଏବଂ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ପଦଯାତ୍ରାକୁ ସମର୍ଥନ କରିଥିବାବେଳେ ଦିଲ୍ଲୀ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରୁ କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇଥିଲେ।
ପଦଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଛି। ବହୁସଂଖ୍ୟାରେ ଦିଲ୍ଲୀ ପୋଲିସ ଓ ରାପିଡ୍‌ ଆକ୍ସନ ଫୋର୍ସ(ଆର୍‌ଏଏଫ୍‌) ଯବାନଙ୍କୁ ମୁତୟନ କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ପୋଲିସ ଅଟକାଇବାରୁ ସେମାନେ ରାସ୍ତାରେ ବସି ‘ଲୋକଙ୍କ ସଂସଦ’ ଆୟୋଜନ କରିଥିଲେ ବୋଲି ସଂଗଠନଗୁଡ଼ିକ କହିଛନ୍ତି। ଏହି ପଦଯାତ୍ରା ଯନ୍ତରମନ୍ତରକୁ ବିକ୍ଷୋଭସ୍ଥଳ ଭାବେ ପୁନର୍ବାର ମାନ୍ୟତା ଦେବା ପାଇଁ ନୁହେଁ, ବରଂ ଗଣତନ୍ତ୍ର ଓ ଦେଶର ସୁରକ୍ଷା ନିମନ୍ତେ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି। ଯନ୍ତରମନ୍ତରକୁ ବିକ୍ଷୋଭ ସ୍ଥଳରୁ ବାଦ୍‌ ଦିଆଯାଇଥିବାରୁ ଦେଶର ପ୍ରତ୍ୟେକ ରାସ୍ତା ଏବେ ଯନ୍ତରମନ୍ତର ପାଲଟିଥିବା ଅନ୍ୟ ଜଣେ ବିକ୍ଷୋଭକାରୀ କହିଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ସାରା ଦେଶରେ ବିକ୍ଷୋଭ ପାଇଁ ଆହ୍ବାନ ଦିଆଯାଇଛି।
ପିପୁଲ୍‌ ଏଗେନେଷ୍ଟ ଏସ୍‌ଆଇଆର୍‌ ପ୍ଲାଟ୍‌ଫର୍ମ ପକ୍ଷରୁ ଏକ ଓ୍ବେବ୍‌ସାଇଟ୍‌ ଶୁଭାରମ୍ଭ କରାଯାଇଛି, ଯାହା ବିଭିନ୍ନ ସହରରେ ହେଉଥିବା ବିକ୍ଷୋଭ ସମ୍ପର୍କରେ ସୂଚନା ପ୍ରଦାନ କରିବ। ୧୮ ରାଜ୍ୟର ୮୮ ସହରରେ ବିକ୍ଷୋଭ ପାଇଁ ଯୋଜନା ହୋଇଛି, ଯେଉଁଥିରେ ୧୪୫ଟି ସଂଗଠନ ଅଂଶଗ୍ରହଣ କରିବେ। ଶୁକ୍ରବାରଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ଏହି ବିକ୍ଷୋଭ ଜାରି ରହିବ। ବହୁସଂଖ୍ୟାରେ କୃଷକ, ଶ୍ରମିକ, ଯୁବତୀଯୁବକ, ମହିଳା ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଜାତୀୟ ପତାକା ଧରି ବିକ୍ଷୋଭରେ ସାମିଲ ହେବାକୁ ଆୟୋଜକମାନେ ନିବେଦନ କରିଛନ୍ତି। ଏକ ସଂକଳ୍ପ ଗୃହୀତ ହେବା ସହ ଜାତୀୟ ସଙ୍ଗୀତ ଗାନ ପରେ ଦିଲ୍ଲୀ ବିକ୍ଷୋଭ ଶେଷ ହେବ ବୋଲି ସେମାନେ କହିଛନ୍ତି।
ପଦଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦିଲ୍ଲୀର ବିଭିନ୍ନ ଭାଗରେ ଅପରାହ୍ନ ୧ଟାରୁ ୫ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଜରୁରୀ କାମ ନ ଥିଲେ ପ୍ରଭାବିତ ଅଞ୍ଚଳକୁ ନ ଯିବା ଲାଗି ଲୋକମାନଙ୍କୁ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ପରାମର୍ଶ ଦେଇଥିଲା।
ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀରେ ଅଚାନକ ବିକ୍ଷୋଭ ସମ୍ଭାବନାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାତୀୟ ରାଜଧାନୀରେ ୨୭୩ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ମୁତୟନକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସରକାରୀ ସୂତ୍ରରୁ କୁହାଯାଇଛି। ଚଳିତ ମାସ ଆରମ୍ଭରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ପାଇଁ ସିଏପିଏଫ୍‌ କମ୍ପାନୀଗୁଡ଼ିକୁ ଦିଲ୍ଲୀ ଅଣାଯାଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।