୩ ଗୃହରେ ପଢ଼ୁଛନ୍ତି ୯ ଶ୍ରେଣୀର ପିଲା: ଅବ୍ୟବସ୍ଥା ଘେରରେ ସରକାରୀ ବିଦ୍ୟାଳୟ
ହାଟଡିହୀ, ୨୪l୧୦(ଶୁଭକାନ୍ତ ନାୟକ):ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି ସହ ଗ୍ରାମାଞ୍ଚଳ ଓ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ ଧନୁର୍ଜୟପୁର ପଞ୍ଚାୟତ ଅଧୀନ ବଉଳା ଗୋପବନ୍ଧୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥିତି ଭିନ୍ନ ଦେଖିବାକୁ ମିଳିଛି। ଏଠାରେ ଶିକ୍ଷକ ଅଭାବ ଲାଗି ରହିଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ୯ଟି ଶ୍ରେଣୀର ପିଲା ୩ଟି କୋଠରିରେ ବସି ଶିକ୍ଷାଗ୍ରହଣ କରୁଛନ୍ତି। ଏଥିସହ ଶୌଚାଳୟ, ପାଚେରି ଆଦି ନ ଥିବାରୁ ପିଲାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମାନ୍ୟ ବର୍ଷା ହେଲେ ପରିସରରେ ପାଣି ଜମୁଥିବାରୁ ନାନା ହୀନସ୍ତା ହେବାକୁ ପଡ଼ୁଥିବା ଶିକ୍ଷକ ଓ ଅଭିଭାବକ କହିଛନ୍ତି।
ପ୍ରକାଶ ଯେ, ୧୯୭୭ରୁ ସ୍ଥାପିତ ଏହି ଆଦିବାସୀବହୁଳ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ଘେରରେ ରହିଛି। ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ଟି ଶ୍ରେଣୀରେ ୧୫୧ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ବିଦ୍ୟାଳୟରେ ମୋଟ ୩ଟି କୋଠରିରେ ୯ଟି ଶ୍ରେଣୀର ପିଲା ବଡ଼ କଷ୍ଟରେ ବସୁଛନ୍ତି। ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ପିଲାଙ୍କ ପାଇଁ ଖେଳପଡ଼ିଆ ନ ଥିବା ବେଳେ ପାଚେରି, ପ୍ରବେଶ ଫାଟକ ନାହିଁ। ଏପରି କି ଶୌଚାଳୟ ମଧ୍ୟ ନ ଥିବାରୁ ଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପାଚେରି ନ ଥିବାରୁ ବିଦ୍ୟାଳୟ ପରିସରରେ ଗୋରୁ, ଛେଳି ପଶୁଛନ୍ତି। ରାତିରେ ଅନେକ ସମୟରେ ବିଦ୍ୟାଳୟ ପରିସରରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଏଠାରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଭଙ୍ଗା ଆଜବେଷ୍ଟସ ଘରେ ରୋଷେଇ ହେଉଛି। ଫଳରେ ଛାତ୍ରୀଛାତ୍ର ସ୍କୁଲରୁ ଚାଲି ଚାଲି ସେଠାକୁ ମଧ୍ୟାହ୍ନଭୋଜନ ଖାଇବାକୁ ଯାଆନ୍ତି। ନିକଟରେ ବଉଳା ପାହାଡ଼ ଥିବାରୁ ପାଣି ଆସି ବିଦ୍ୟାଳୟ ପରିସରରେ ଜମି ଅଧିକାଂଶ ସମୟରେ ଓଦା, ସନ୍ତସନ୍ତିଆ ରହୁଛି। ସରକାରୀ ଅନୁଦାନ ଅଭାବରୁ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ସୁରକ୍ଷା ପାଚେରି, ଖେଳ ପଡ଼ିଆ, ପ୍ରବେଶ ଫାଟକ, ସ୍ବତନ୍ତ୍ର ରୋଷେଇ ଗୃହ ଓ ଶୌଚାଳୟ ନିର୍ମାଣ ହୋଇପାରୁନି। ଏଥିସହ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦିଗରେ ପ୍ରଶାସନ, ସରକାର ହସ୍ତକ୍ଷେପ କରିବା ଜରୁରୀ ବୋଲି ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ମହାକୁଡ଼ କହିଛନ୍ତି। ପ୍ରଧାନଶିକ୍ଷକ ଶଶି ଭୂଷଣ ପୁହାଣ କହିଛନ୍ତି, ବିଦ୍ୟାଳୟର ବହୁବିଧ ସମସ୍ୟା ରହିଛି। ଏ ବାବଦରେ ହାଟଡିହୀ ବିଇଓଙ୍କୁ ଜଣାଇଛନ୍ତି। ବିଦ୍ୟାଳୟକୁ ସରକାରୀ ଅନୁଦାନ ବର୍ଷକୁ ପ୍ରାୟ ୫୦ ହଜାର ଟଙ୍କା ମିଳିଥାଏ। ଉକ୍ତ ଅନୁଦାନରେ ବିଦ୍ୟାଳୟ ପାଇଁ ଆବଶ୍ୟକ ସରଞ୍ଜାମ, ଉପକରଣ, ସାମଗ୍ରୀ କିଣାଯାଇଛି। ବର୍ଷାଦିନେ ବିଦ୍ୟାଳୟ ପରିସରରେ ପାଣି ଜମି ରହୁଥିବାରୁ ନାନା ହୀନସ୍ତା ହେବାକୁ ପଡୁଛି। ଏଥିସହ ଶୌଚାଳୟ ଅଭାବରୁ ବିଶେଷ କରି ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାଟଡିହୀ ଏବିଇଓ ପ୍ରମୋଦ କୁମାର ନାୟକ କହିଛନ୍ତି, ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଅଛି l ଏଥିପ୍ରତି ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।