୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି
ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା ସହ ମୂଲ୍ୟବୃଦ୍ଧି, ଆମେରିକୀୟ ଡଲାର ତୁଳନାରେ ଅନ୍ୟାନ୍ୟ ମୁଦ୍ରାର ଅବମୂଲ୍ୟାୟନକୁ ନେଇ ଶେୟାର ବଜାର ଅସ୍ଥିର ରହିଆସିଥିଲାବେଳେ ଆଶଙ୍କିତ ହୋଇପଡ଼ିଥିବା ନିବେଶକ ବିପୁଳ ପରିମାଣରେ ପୁଞ୍ଜି ପ୍ରତ୍ୟାହାର କରିବା ଘଟଣା ପ୍ରମୁଖ ଶେୟାର ବଜାରଗୁଡିକୁ ପ୍ରଭାବିତ କରିଛି। ଏହି କ୍ରମରେ ଭାରତୀୟ ଶେୟାର ବଜାର ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ବିଶେଷକରି ସଂସ୍ଥାଗତ ବିଦେଶୀ ବିନିଯୋଗକାରୀ(ଏଫ୍ଆଇଆଇ)ଙ୍କ ଦ୍ୱାରା କ୍ରମାଗତ ଶେୟାର ବିକ୍ରି ପ୍ରକ୍ରିୟା ବଜାର ପାଇଁ ଚିନ୍ତାର ବିଷୟ ପାଲଟିଛି। ବିଭିନ୍ନ କାରଣକୁ ନେଇ ପୂର୍ବରୁ ଏଫ୍ଆଇଆଇ ଭାରତୀୟ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର ଜାରି ରଖିଥିଲେ ହେଁ ଗତ ୩ ଦିନ ମଧ୍ୟରେ ସେମାନଙ୍କ ଦ୍ୱାରା ସର୍ବାଧିକ ଶେୟାର ବିକ୍ରି କରାଯିବା ଘଟଣା ବଜାର ତଥା ଘରୋଇ ନିବେଶକମାନଙ୍କ ପାଇଁ ପ୍ରତିକୂଳ ସ୍ଥିତି ଉତ୍ପନ୍ନ କରିଛି। ମାତ୍ର ୩ ଦିନ ମଧ୍ୟରେ ଏଫ୍ଆଇଆଇଙ୍କ ଦ୍ୱାରା ୨୯,୬୧୨.୮୫ କୋଟି ଟଙ୍କାର ଶେୟାର ବିକ୍ରି କରାଯାଇଛି। ଭାରତରେ ସୀମିତ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସୁଯୋଗ, ଟେକ୍ନୋଲୋଜି କ୍ଷେତ୍ରକୁ ନେଇ ଚିନ୍ତା, ଅଶୋଧିତ ତୈଳ ମୂଲ୍ୟବୃଦ୍ଧିଠାରୁ ଆରମ୍ଭକରି ଡଲାରର ଚାହିଦା ବୃଦ୍ଧି ଭଳି ଅନେକ କାରଣ ପୁଞ୍ଜି ପ୍ରତ୍ୟାହାରକୁ ପ୍ରୋତ୍ସାହିତ କରୁଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହାବ୍ୟତୀତ ଆମେରିକାର ୧୦ ବର୍ଷିଆ ବଣ୍ଡ ୟିଲ୍ଡ ମଧ୍ୟ ପୁଞ୍ଜି ପ୍ରତ୍ୟାହାରର ଅନ୍ୟ ଏକ କାରଣ ହୋଇଛି। ଅନେକ ଦଶନ୍ଧି ପରେ ଏହି ବଣ୍ଡ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଘଟଣା ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି; ଯେଉଁଥିପାଇଁ ସେମାନେ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବା ବିଶେଷଜ୍ଞମାନେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।