୩ ମାସ ମଧ୍ୟରେ ୧୦୦୦ମି.ମି. ଅତିକ୍ରମ କଲା ମୌସୁମୀ ବର୍ଷା

Aug 20, 2026 - 12:31
୩ ମାସ ମଧ୍ୟରେ ୧୦୦୦ମି.ମି. ଅତିକ୍ରମ କଲା ମୌସୁମୀ ବର୍ଷା

ଭୁବନେଶ୍ୱର : ଚଳିତବର୍ଷ ବର୍ଷା ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ରହିଛି । ଜୁନ, ଜୁଲାଇ ଓ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୦୦୦ ମି.ମିରୁ ଅଧକ ବର୍ଷା ହୋଇଛି । ଏହି ପରିମାଣ ସ୍ୱାଭାବିକ ବର୍ଷା ପରିମାଣରୁ ୩୪ ପ୍ରତିଶତ ଅଧିକ। ଗତ ୨୫ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ବି ହୋଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଓ ଯାଜପୁର ସହ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। ଏହି ଜିଲାଗୁଡ଼ିକର ୭୪ଟି ବ୍ଲକର ୧୩୮୧ଟି ଗାଁ’ର ୯.୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩.୭୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ୫୫୦ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ୬ ଜିଲାରେ ସମୁଦାୟ ୪୫ଟି ଓଡ୍ରାଫ୍‌, ୮ଟି ଏନ୍‌ଡିଆର୍‌ଏଫ୍‌ ଏବଂ ୬୫ଟି ଅଗ୍ନଶମ ସେବା ଦଳ ନିୟୋଜିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ, ଏହାରି ମଧ୍ୟରେ ଓଡ଼ିଶା ପାଇଁ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୨ ଓ ୨୩ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପରିମାଣ ବଢ଼ିପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।