ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବର୍ଷେ ଜେଲ

Sep 03, 2026 - 17:04
ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବର୍ଷେ ଜେଲ

ଢେଙ୍କାନାଳ: ସରକାରୀ ଅର୍ଥ ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କୁ ବର୍ଷେ ଜେଲ୍ଦଣ୍ଡାଦେଶ । ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍‌ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ  ହେବା ସହିତ ତାଙ୍କ ସହ ପିଡି, ଡିଆର୍‌ଡିଏ ସୂର୍ଯ୍ୟନାରାୟଣ ଦାସ ଏବଂ ପୂର୍ବତନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତିନି ଜଣଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ–୧୯୮୮ର ଧାରା ୧୩(୨) ସହ ୧୩(୧)(ଡି) ଏବଂ IPCର ୪୬୮, ୪୭୧, ୪୨୦ ଓ ୧୨୦-ବି ଧାରାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।

ଅଭିଯୋଗ ଅନୁସାରେ, ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୦୧–୦୨ ମସିହାରେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ କଲେକ୍ଟର ଥିବା ସମୟରେ FCI ଗୋଦାମରୁ ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଚାଉଳ ଓ ଗହମ ପରିବହନ ପାଇଁ ସରକାରୀ ନିର୍ଦ୍ଧାରିତ ଦରକୁ ଅଣଦେଖା କରାଯାଇଥିଲା । ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା।ମାମଲାରେ ଉପସ୍ଥାପିତ ପ୍ରମାଣ ଓ ସାକ୍ଷ୍ୟକୁ ବିଚାର କରି ଅଦାଲତ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ଏକ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ପ୍ରଦାନ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।