୪ ବର୍ଷ ପରେ ପରୀକ୍ଷା ସୁଯୋଗ: ସହଜ ହେଲା ଡାକ୍ତର ହେବା !
ନନ୍ଦିଘୋଷ ବ୍ୟୁରୋ: ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତି । ପରୀକ୍ଷା ପାଇଁ ମିଳିବ ଅତିରିକ୍ତ ସୁବିଧା । ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ । କୋଭିଡ୍ ସମୟରେ ଅସୁବିଧା ବା ଅସୁସ୍ଥତା ପାଇଁ ଯେଉଁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି, ସେମାନଙ୍କ ପାଇଁ ପ୍ରଥମ ପ୍ରଫେସନନାଲ୍ ଏମବିବିଏସ୍ ପରୀକ୍ଷା ପାସ୍ କରିବା ଲାଗି ଗୋଟିଏ ଅତିରିକ୍ତ ସୁବିଧା ମିଳିବ । ଏନେଇ ନ୍ୟାସନାଲ ମେଡିକାଲ କମିଶନ-ଏନ୍ଏମ୍ସି ଏକ ଅସ୍ଥାୟୀ କୋହଳ ବ୍ୟବସ୍ଥା ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ଏନ୍ଏମ୍ସି ପାଖରେ ବିଚାରାଧୀନ ଥିଲା । ତାହାକୁ ବିଚାର କରି ଏନଏମ୍ସି ଏହି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏନ୍ଏମ୍ସିର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଛି । ଛାତ୍ରଛାତ୍ରୀଙ୍କୁ ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପରୀକ୍ଷା ପାସ୍ କରିବା ପାଇଁ ନିର୍ଦ୍ଧାରିତ ୪ଟି ସୁଯୋଗ ବ୍ୟତୀତ ଗୋଟିଏ ଅତିରିକ୍ତ ସୁଯୋଗ ବା ସର୍ବମୋଟ ୫ଟି ସୁଯୋଗ ପାଇଁ ଅନୁମତି ଦିଆଯିବ। ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପାଇଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଚାରି ବର୍ଷ ଅବଧି ଅତିକ୍ରମ କରି ସାରିଥିଲେ ସୁଦ୍ଧା ଏହି ଅତିରିକ୍ତ ସୁଯୋଗ ଉପଲବ୍ଧ ହେବ । ସେଥିରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୈଧ ରହିଥିବା ଆବଶ୍ୟକ । ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ୍ ଇଣ୍ଟର୍ଣ୍ଣସିପ୍ର ପ୍ରଯୁଜ୍ୟ ଅବଧି ସହ ଏମବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ମୋଟ ଅବଧି ନାମଲେଖା ତାରିଖରୁ ଦଶ ବର୍ଷରୁ ଅଧି୍କ ହେବ ନାହିଁ । ତେବେ ଏହା କେବଳ କୋଭିଡ ପ୍ରଥମ ଓ ଦ୍ବିତୀୟ ଲହରରେ ପରୀକ୍ଷା ଦେଇ ପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ । ଏନଏମସିଙ୍କ ଏହି ନିଷ୍ପତ୍ତି ଓ ସର୍ତ୍ତାବଳୀକୁ ପାଳନ କରିବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଓଡ଼ିଶାରେ ମଧ୍ୟ କୋଭିଡର ଭୟାବହତା ଥିଲା । ସେ ସମୟରେ ଓଡ଼ିଶାରେ ଡିଏମଇଟି ଦ୍ବାୟିତ୍ବରେ ଥିବା ନିର୍ଦ୍ଦେଶକ ବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷାକୁ ଦୃଷ୍ଟିରେ ରଖି ପୁନଃ ସୁଯୋଗର ଗୁରୁତ୍ବକୁ ଅନୁଭବ କରିଥିଲେ ।
କୋଭିଡ ସମୟରେ ୟୁପିଏସସିରୁ ଆରମ୍ଭ କରି ବାୟୁସେନା ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ଅନେକ ରାଜ୍ୟରେ ପୋଲିସ ଓ ନର୍ସିଂ ପରୀକ୍ଷା ବି ବାତିଲ ହୋଇଥିଲା । ସେ ସମୟରେ କୋଭିଡ ଯୋଗୁଁ ଖରାପ ସ୍ବାସ୍ଥ୍ୟ ସହ ଛାତ୍ରଛାତ୍ରୀ ପରୀକ୍ଷା ସ୍ଥଗିତର ମାନସିକ ଦୁଶ୍ଚିନ୍ତାରେ ଦିନ ଗଡ଼ାଉଥିଲେ । ଖାସ୍ କରି ଡାକ୍ତରୀ ଛାତ୍ରଛାତ୍ରୀ, ସେମାନେ ରୋଗୀ ସେବା କରିବେ ନା ପୁଣି ଥରେ କେମିତି ପରୀକ୍ଷା ଦେବେ, ସେ ଚିନ୍ତାରେ ଦିନ କାଟୁଥିଲେ । ଯେଉଁଥି ପାଇଁ ସେମାନେ ନ୍ୟାସନାଲ ମେଡିକାଲ କମିଶନ ପାଖରେ ପୁନଃ ପରୀକ୍ଷା ପାଇଁ ଆବେଦନ କରିଥିଲେ । ଆଜି ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ଯେପରି ସୁଯୋଗ ଆସିଛି, ସେପରି ଅନେକ ବୃତ୍ତି ଓ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବି ସୁଯୋଗ ମିଳିବା ନେଇ ଦାବି କରିଛନ୍ତି ଆଶାୟୀ ଛାତ୍ରଛାତ୍ରୀ ।
ଏନଏମସି ଏହି ନିଷ୍ପତ୍ତିକୁ ଏହି ଥରକ ପାଇଁ ବ୍ୟତିକ୍ରମିକ ପରିବର୍ତ୍ତନମୂଳକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛି । ଯାହା ଯୋଗ୍ୟ ବିଚାରାଧୀନ ମାମଲାଗୁଡ଼ିକରେ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଏହା ପରୀକ୍ଷା ପ୍ରୟାସର ଅନୁମୋଦିତ ସଂଖ୍ୟାକୁ ନିୟନ୍ତ୍ରଣ କରୁଥିବା ସଂଶୋଧିତ ନିୟମାବଳୀର ପୂର୍ବବର୍ତ୍ତୀ ପ୍ରୟୋଗ ନୁହେଁ । ଏହି ନିଷ୍ପତ୍ତି ପରବର୍ତ୍ତୀ ଶିକ୍ଷାଗତ ବ୍ୟାଚ୍ ପାଇଁ ସଂଶୋଧକ ନିୟମାବଳୀ ଭାବେ ବିବେଚନା କରାଯାଇ ପାରିବ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।