ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….
ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଗାଁରେ ରବିବାର ଏହି ଘଟଣା ଘଟିଛି। ଗାଁର ରାଜୁ ଦଳେଇଙ୍କ ବର୍ଷକର ପୁଅ କୁକୁର କାମୁଡ଼ାରେ ଗୁରୁତର ହୋଇଛନ୍ତି।
ସୂଚନାନୁଯାୟୀ, ରାଜୁ ଓ ତାଙ୍କ ସ୍ତ୍ରୀଙ୍କର ଛୋଟ ଟିଫିନ ସେଣ୍ଟରଟିଏ ଅଛି। ସେମାନେ ରବିବାର ସକାଳେ ଦୋକାନ ଖୋଲିବାକୁ ଯାଇଥିଲେ। ରାଜୁ ତାଙ୍କ ଭଉଣୀ ଉପରେ ପିଲାଟିର ଦାୟିତ୍ୱ ଦେଇ ଯାଇଥିଲେ। ଶିଶୁଟିର ପିଉସୀ ପିଲାଟିକୁ ଶୁଆଇ ଦେଇ ଘରର ଅନ୍ୟ କାମ କରୁଥିଲେ। ଏହା ଭିତରେ ବୁଲା କୁକୁରଟି ଘରକୁ ଆସି ଶିଶୁଟିର ମୁହଁକୁ ଝୁଣି ଦେଇଥିଲା। ଶିଶୁର କାନ୍ଦ ଶୁଣି ପିଉସୀ ଭିତରୁ ଦୌଡ଼ି ଆସି କୁକୁରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କୁକୁରଟି ତାଙ୍କୁ ମଧ୍ୟ କାମୁଡ଼ି ପକାଇଥିଲା। ସେମାନଙ୍କ ପାଟିଶୁଣି ପଡ଼ୋଶୀମାନେ ସେଠାରେ ପହଞ୍ଚତ୍ ପିଲାଟିକୁ ଉଦ୍ଧାର କରିବା ସହ ରାଜୁ ଓ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ। ପ୍ରଥମେ ଶିଶୁଟିକୁ କୋଡ଼ିଙ୍ଗା ମେଡିକାଲ ଏବଂ ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ବୁଲାକୁକୁରଙ୍କ ଆତଙ୍କ ରୋକିବାକୁ ଦାବି ହେଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।