୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି
ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରକକୁ ପଛରୁ ଧକ୍କା ଦେଲା DJ ବୋଝେଇ ଗାଡ଼ି । ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯ ରୁ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ବ୍ୟକ୍ତିଙ୍କ ନାମ
ଅଭି ସାମନି (22), ତାଙ୍କ ଘର ବରଗଡ଼ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଉକ୍ତ ଦୁଲଦୁଲି ଗାଡ଼ିରେ ପ୍ରାୟ ୩୦ ଜଣ ବାଦ୍ୟକାର ଥିଲେ । ଯାତ୍ରା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ରହିଥିବା ଟ୍ରକ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି ଏବଂ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଘଟଣାସ୍ଥଳରେ ଜମନକିରା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁଇଟି ଯାକ ଗାଡ଼ିକୁ ନିଜ ହେପାଜତକୁ ନେଇଛି। ଏହି ଘଟଣାକୁ ନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ ହୋଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।