୮ ତାରିଖ ଚକା ବନ୍ଦ ପାଳନକୁ ମିଳିଲା ବଡ଼ ସମର୍ଥନ 

Oct 05, 2026 - 20:11
୮ ତାରିଖ ଚକା ବନ୍ଦ ପାଳନକୁ ମିଳିଲା ବଡ଼ ସମର୍ଥନ 
ସୁନାବେଡ଼ା, ୫।୧୦(କୃତ୍ତିବାସ ପ୍ରଧାନ): ଚଳିତ ମାସ ୮ ତାରିଖରେ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ସୋମବାର ସୁନାବେଡ଼ା ପ୍ରେସ୍‌ କ୍ଲବ୍‌ରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ସେ ଭାଜପା ସରକାରଙ୍କୁ ସମାଲୋଚନା କରିବା ସହ ବନ୍ଦକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି।
ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକ ଯାନଗୁଡ଼ିକୁ ବନ୍ଦରୁ ବାଦ୍‌ ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇ ମଧ୍ୟ ଆଦିବାସୀଙ୍କ ବିକାଶ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି, ଯାହା ଦୁର୍ଭାଗ୍ୟଜନକ ବୋଲି ବିଧାୟକ କାଡ଼ାମ କହିଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟର ଜିଲା ସଭାପତି ରୂପକ ତୁରୁକ, ଜିଲା ସମ୍ପାଦକ ମହେଶ ଚେଟି, ପୂର୍ବତନ ବିଧାୟକ ନିମାଇଁ ସରକାର, ଟାଉନ କଂଗ୍ରେସ ସଭାପତି ଦିବାନ କୁଲଦୀପ, ଏମ୍‌ପିଙ୍କ ପ୍ରତିନିଧି ପ୍ରଶାନ୍ତ କରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ଏହି ବନ୍ଦକୁ ଏଆଇଟିୟୁସି ସମର୍ଥନ ଜଣାଇଛି। ଜୟପୁର ଯାଦବ ଭବନରେ ଏଆଇଟିୟୁସି ପକ୍ଷରୁ ଜିଲା ସଭାପତି ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱରେ ଏକ ବୈଠକ ଓ ଖବରଦାତା ସମ୍ମିଳନୀ କରାଯାଇଛି। କୋରାପୁଟ ଭଳି ଖଣିଜ ସମ୍ପଦ ଭରା ଜିଲାର ସମସ୍ତ ଖଣିଜ ସମ୍ପଦ ଆଦାନୀ ହାତରେ ଟେକିଦେଇ ଜିଲାକୁ ଧ୍ୱଂସକରିବା ପାଇଁ ଭାଜପା ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି।
ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ତଥା ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ପ୍ରମୋଦ କୁମାର ମହାନ୍ତି ଦେଶକୁ ଧର୍ମୀୟ ଭିତ୍ତିରେ ଭାଗ କରାଯାଉଛି। ଦେଶର ସମ୍ବିଧାନ ସଙ୍କଟରେ। ଏଥିପାଇଁ ଅକ୍ଟୋବର ୮ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ସେ ନିବେଦନ କରିଛନ୍ତି। ଖବରଦାତା ସମ୍ମିଳନୀରେ ସିପିଆଇ ଜିଲା ସମ୍ପାଦକ ରାମକୃଷ୍ଣ ଦାସ, ସମ୍ପାଦକ ଏଆଇଟିୟୁସି ଜିଲା ସଙ୍ଗଠନ ସମ୍ପାଦକ ଉତ୍ତମ ମଲ୍ଲିକ, ଧ୍ରୁବ ମଲ୍ଲିକ, ସୁବାସ ବେହେରା, ନଳିନୀକାନ୍ତ ରଥ, ଭୁବନ କମାର ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।