ଆଇପିଏସ ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ କେନ୍ଦ୍ର ସରକାର

Sep 17, 2026 - 15:46
ଆଇପିଏସ ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଆଇପିଏସ୍ ଅଧିକାରୀ ତଥା ଭୁବନେଶ୍ୱର ଡିସିପି (DCP) ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ। ଆନୁଷ୍ଠାନିକ ଭାବେ କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ  ଗ୍ରହଣ କରିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଗତ ଜୁନ୍ ମାସରେ ସ୍ବେଚ୍ଛାକୃତ ଭାବରେ ଚାକିରିରୁ ଅବସର ନେବା ପାଇଁ  ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ଗତ ସପ୍ତାହରେ ରାଜ୍ୟ ସରକାର ନିଜର ମଞ୍ଜୁରୀ ଦେବା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପଠାଇଥିଲେ ।  ଜଗମୋହନଙ୍କ ଇସ୍ତଫା ସେପ୍ଟେମ୍ବର ୧୧ରୁ କାର୍ଯ୍ୟକାରୀ ହୋଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି । 

ସୂଚନାନୁସାରେ, ଗତ ଜୁନ ମାସରେ ଆଇପିଏସ ଅଫିସର ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଆବେଦନ କରିଥିଲେ। ରାଜ୍ୟ ଗୃହ ବିଭାଗ ଏହି ଆବେଦନକୁ ସମୀକ୍ଷା କରିବା ପରେ ଆବଶ୍ୟକୀୟ କାଗଜପତ୍ର ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଇସ୍ତଫାକୁ ଗ୍ରହଣ କରିବା ପରେ ତାଙ୍କ ଭାରତୀୟ ପୋଲିସ ସେବା (IPS) କ୍ୟାଡରରୁ ଅବସର ନିଶ୍ଚିତ ହୋଇଛି ।

୩୭ ବର୍ଷୀୟ ଜଗମୋହନ ମୀନା ରାଜସ୍ଥାନର ବାସିନ୍ଦା । ସେ ଆଇଆଇଟି କାନପୁରରୁ ଶିକ୍ଷା ସମାପ୍ତ କରିବା ପରେ ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୯ ତମ ର‌୍ୟାଙ୍କ ହାସଲ କରି ଆଇପିଏସରେ ଯୋଗ ଦେଇଥିଲେ । ନିଜର ୧୩ ବର୍ଷର ପୋଲିସ ସେବା କାର୍ଯ୍ୟକାଳ ମଧ୍ୟରେ ସେ ଅନୁଗୋଳ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରେ ପୁଲିସ ଏସପି ଭାବେଓ କଟକରେ ଡିସିପି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୫ ଫେବୃଆରୀ ୨୮ ତାରିଖରୁ ସେ ଭୁବନେଶ୍ୱରର ଡିସିପି ଭାବେ କାର୍ଯ୍ୟ କରୁଥିଲେ  ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।