ଆରମ୍ଭ ହେଲା ମହାପ୍ରଭୁଙ୍କ ର ଗୁପ୍ତ ଗୁଣ୍ଡିଚା ଯାତ୍ରା
ପୁରୀ : ମାଆଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶ୍ରୀଜଗନ୍ନାଥଙ୍କର ଅନନ୍ୟ ‘ଗୁପ୍ତ ଗୁଣ୍ଡିଚା ଯାତ୍ରା’ ବା ‘ଶାକ୍ତ ଗୁଣ୍ଡିଚା’ । ଆଶ୍ୱିନ ମାସର ଶାରଦୀୟ ପାର୍ବଣ (ନବରାତ୍ରି) ସମୟରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ବୈଷ୍ଣବ ଓ ଶାକ୍ତ ଧର୍ମଧାରାର ଏକ ଅପୂର୍ବ ସମନ୍ୱୟ ଅଟେ । ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ ଏହି ନିଆରା ପାରମ୍ପରିକ ଯାତ୍ରା କାହିଁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଛି ।ଏହି ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ସ୍ୱରୂପ 'ମାଧବ' ଏବଂ ମା' ମହାଲକ୍ଷ୍ମୀଙ୍କ ସ୍ୱରୂପା ମା' 'ଦୁର୍ଗା' ଏକତ୍ର ପୂଜା ପାଇଥାନ୍ତି। ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ବିଜେ କରିଥାନ୍ତି ।
ଲୋକକଥା ଅନୁସାରେ ରଥଯାତ୍ରାରେ ଲକ୍ଷ୍ମୀଙ୍କୁ ସାଥିରେ ନେଇ ନଥିବାରୁ ଗୁପ୍ତ ଗୁଣ୍ଡିଚାରେ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ମହାପ୍ରଭୁ । ତେଣୁ ସେହି ପ୍ରତିଶ୍ରୁତି ଓ ପରମ୍ପରାକୁ ରକ୍ଷା କରି ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା । ଆଶ୍ୱିନ କୃଷ୍ଣ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇ ଦଶହରା (ବିଜୟା ଦଶମୀ) ପର୍ଯ୍ୟନ୍ତ ଏହି ପର୍ବ ଚାଲେ । ପ୍ରଥମ ୮ ଦିନ ଶ୍ରୀମନ୍ଦିର ପରିସରରେ ଥିବା ମାଆ ବିମଳାଙ୍କ ମନ୍ଦିରରେ ପୂଜା ହେବା ପରେ, ଶେଷ ୮ ଦିନ ପ୍ରଭୁ ଦୁର୍ଗାମାଧବ ଏକ ସ୍ୱତନ୍ତ୍ର ବିମାନରେ ବସି ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି ।
ମହାପ୍ରଭୁଙ୍କର ଗୁପ୍ତ ଗୁଣ୍ଡିଚା ପାଇଁ ଆଜି ସକାଳ ଧୂପ ନୀତି ପରେ ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇଥିଲା । ପରେ ଘଣ୍ଟ ଛତା, ବୟଯନ୍ତ୍ରୀ ବଜାଯାଇ ଶ୍ରୀମନ୍ଦିରରୁ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚନା କରାଯାଇ ନାରାୟଣୀ ମନ୍ଦିରରେ ଦୁର୍ଗା ମାଧବ ଅବସ୍ଥାନ କରିଥିଲେ । ସ୍ୱତନ୍ତ୍ର ଭାବେ ଏଠାରେ ତାଙ୍କୁ ମାଣ୍ଡୁଅ ଓ ଖାଇକୋରା ଭୋଗ ଲାଗି କରାଯାଇଥିଲା । ବିମଳାଙ୍କ ସ୍ୱତନ୍ତ୍ର ବେଶ ଏବଂ ଦୁର୍ଗାମାଧବଙ୍କ ଏହି ଗୁପ୍ତ ଯାତ୍ରା ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।