ଆଲୋକ ମହୋତ୍ସବ ଦୀପାବଳି
ଓଡ଼ିଶାର କୋଣ-ଅନୁକୋଣରେ ଆଲୋକ ଓ ପବିତ୍ରତାର ମହୋତ୍ସବ ଦୀପାବଳି ଅତ୍ୟନ୍ତ ଉଲ୍ଲାସ ଓ ଭକ୍ତିମୟ ପରିବେଶରେ ପାଳନ କରାଯାଇଥାଏ । ଏହା ସହ ଜଡ଼ିତ ପୌରାଣିକ କଥାବସ୍ତୁ ଏବଂ ସଂସ୍କୃତି ଏହି ପର୍ବକୁ ଅଧିକ ବୈଶିଷ୍ଟ୍ୟପୂର୍ଣ୍ଣ କରିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଲଙ୍କାପତି ରାବଣକୁ ବଧ କରି ୧୪ ବର୍ଷର ବନବାସ ଶେଷ ପରେ ମାତା ସୀତା ଓ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି ଆନନ୍ଦରେ ଅଯୋଧ୍ୟାବାସୀ ସମଗ୍ର ନଗରୀକୁ ଦୀପ ଓ ଫୁଲରେ ସଜାଇଥିଲେ, ଯାହାର ସ୍ମୃତିରେ ଆଜି ମଧ୍ୟ ଦୀପ ପ୍ରଜ୍ୱଳନ କରାଯାଇ ଦୀପାବଳି ପାଳନ କରାଯାଇଥାଏ । ଅଧର୍ମ ଉପରେ ଧର୍ମର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ଉତ୍ସବ ଭାବେ ଏହା ପାଳିତ କରାଯାଇଥାଏ । ଓଡ଼ିଶାରେ ଏହି ପର୍ବର ଅନ୍ୟ ଏକ ବିଶେଷ ସାଂସ୍କୃତିକ ଓ ପୌରାଣିକ ଦିଗ ହେଉଛି ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ । ଦୀପାବଳି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟସାରା ଲୋକମାନେ ନିଜ ନିଜ ଗୃହ ଆଗରେ ଓ ଶ୍ରୀମନ୍ଦିର ବାହାରେ କାଉଁରିଆ କାଠି ଜାଳି "ବଡ଼ବଡୁଆ ହୋ... ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ" ଡାକ ଦେଇ ଆକାଶମାର୍ଗରୁ ଆସୁଥିବା ନିଜ ପିତୃପୁରୁଷମାନଙ୍କୁ ସ୍ୱର୍ଗଲୋକକୁ ଫେରିଯିବା ପାଇଁ ବାଟ ଦେଖାଇଥାନ୍ତି । ଏହି ପବିତ୍ର ତିଥିରେ ମା' କାଳୀଙ୍କ ଆରାଧନା ମଧ୍ୟ କରାଯାଇଥାଏ । ସମଗ୍ର ରାଜ୍ୟରେ ପାଳିତ ହୋଇଥାଏ ଶ୍ୟାମାକାଳୀ ପୂଜା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।