ଫେବୃଆରୀ ୧୬ରୁ ଆରମ୍ଭ ହେବ ଦଶମ ଓ ଦ୍ବାଦଶଶ୍ରେଣୀ ବୋର୍ଡ ପରୀକ୍ଷା: CBSE କାର୍ଯ୍ୟସୂଚୀ ଜାରି

Nov 07, 2026 - 16:01
ଫେବୃଆରୀ ୧୬ରୁ ଆରମ୍ଭ ହେବ ଦଶମ ଓ ଦ୍ବାଦଶଶ୍ରେଣୀ ବୋର୍ଡ ପରୀକ୍ଷା: CBSE କାର୍ଯ୍ୟସୂଚୀ ଜାରି

ନୂଆଦିଲ୍ଲୀ: ସିବିଏସଇ ପକ୍ଷରୁ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୨୦୨୭ ଫେବୃଆରୀ ୧୬ ତାରିଖ ମଙ୍ଗଳବାରଠାରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଆରମ୍ଭ ହେବ। ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ପରୀକ୍ଷା ହେବ। ବୋର୍ଡ ପକ୍ଷରୁ ୧୦୧ ଦିନ ପୂର୍ବରୁ ଏହି କାର୍ଯ୍ୟସୂଚୀ ଜାରି କରାଯାଇଛି, ଯାହା ଉଭୟ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି ନିମନ୍ତେ ଯଥେଷ୍ଟ ସମୟ ପ୍ରଦାନ କରିବ।ବୋର୍ଡ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଜାରି ସୂଚନା ଅନୁସାରେ, ଚଳିତ ଶିକ୍ଷାବର୍ଷରେ ଦେଶ ତଥା ବିଦେଶରୁ ମୋଟ ୪୬ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ଏଥିରେ ଦଶମ ଶ୍ରେଣୀର ୨୬.୫ଲକ୍ଷରୁ ଅଧିକ ଓ ଦ୍ୱାଦଶ ଶ୍ରେଣୀର ୧୯.୮ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ସାମିଲ ଅଛନ୍ତି। ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀର ୮୩ଟି ଓ ଦ୍ୱାଦଶ ଶ୍ରେଣୀର ୧୨୧ଟି ବିଷୟ ପାଇଁ ପରୀକ୍ଷା ଆୟୋଜନ କରାଯାଉଛି। ଏହି ପରୀକ୍ଷା କାର୍ଯ୍ୟସୂଚୀ ପ୍ରସ୍ତୁତିବେଳେ ପ୍ରମୁଖ ବିଷୟଗୁଡ଼ିକ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖାଯିବା ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଜାତୀୟ ସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷା ସୂଚୀକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ସ୍କୁଲଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷାର୍ଥୀଙ୍କ ତାଲିକା ଦାଖଲ କରିଥିବାରୁ ଏତେ ଆଗୁଆ ସୂଚୀ ପ୍ରକାଶ ସମ୍ଭବ ହୋଇପାରିଛି ବୋଲି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସଂଯମ ଭରଦ୍ୱାଜ ସୂଚନା ଦେଇଛନ୍ତି। ପରୀକ୍ଷା କାର୍ଯ୍ୟକ୍ରମ ଆଗୁଆ ପ୍ରକାଶ ପାଇବା ଫଳରେ ବିଦ୍ୟାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇବ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜସ୍ୱ କାର୍ଯ୍ୟକ୍ରମ ସହ ଅଣବୋର୍ଡ ଶ୍ରେଣୀଗୁଡ଼ିକର ଶିକ୍ଷାଦାନ ଅବ୍ୟାହତ ରଖିପାରିବେ । ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ବିସ୍ତୃତ ବିବରଣୀ ତଥା ବିଷୟୱାରୀ ତାରିଖ ସୂଚୀ ବୋର୍ଡର ଆନୁଷ୍ଠାନିକ ୱେବସାଇଟ୍www.cbse.gov.inରେ ଉପଲବ୍ଧ ହୋଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।