ଆସନ୍ତା ୨୬ରେ ବାତ୍ୟା ଆଶଙ୍କା !
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୨୫ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରଣିତ ହୋଇ ୨୬ରେ ବାତ୍ୟା ଏବଂ ୨୮ରେ ଲ୍ୟାଣ୍ଡଫଲ କରିବ । ବିଶେଷକରି ଏହା ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଂଚଳ ଗୁଡ଼ିକ ପ୍ରଭାବିତ ହେବ ।
ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇପାରେ ବୋଲି ସମ୍ଭାବନା ରହିଛି ଇ MD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଉପକୂଳବର୍ତ୍ତୀ ଅଂଚଳ ଗୁଡ଼ିକରେ ୨୪ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଏବଂ କିଛି ସ୍ଥାନରେ ୬୫କିମି ପର୍ଯ୍ୟନ୍ତ ରହିପାରେ । ୨୫ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ଏବଂ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ୨୬ ତାରିଖ ସକାଳ ବେଳକୁ ପବନର ବେଗ ୭୦ରୁ ୮୦ କିମି ଏବଂ ଝଟକା ପବନ ୯୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ଅଛି । ବାତ୍ୟା ଉପକୂଳ ମୁହାଁ ହେଲେ ଏହି ବେଗ କ୍ରମଶଃ ବୃଦ୍ଧି ପାଇବ ।
ସେହିପରି ୨୮ ତାରିଖ ସକାଳ ବେଳକୁ ବାତ୍ୟା ଉପକୂଳରେ ପହଞ୍ଚିବା ସମୟରେ ସର୍ବାଧିକ ପବନ ପ୍ରବାହିତ ହେବ। ୨୬ ତାରିଖରୁ ସାମାନ୍ୟ ଧରଣର ବର୍ଷା ଆରମ୍ଭ ହୋଇପାରେ । ୨୭ ତାରିଖରୁ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୨୮ ତାରିଖ: ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ସହିତ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହାକି ୨୦ ରୁ ୩୦ ସେମି ବା ତା'ଠାରୁ ଅଧିକ ମଧ୍ୟ ହୋଇପାରେ ।୨୯ ତାରିଖ: ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷା ଜାରି ରହିବ ଏବଂ ଏହି ସମୟରେ ମଧ୍ୟ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି କରାଯାଇଛି ।୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।