କପିଳାସ ଯାଉଥିବା ଯୁବକ-ଯୁବତୀଙ୍କୁ ବାଟମଝିରେ ଦୁର୍ବ୍ୟବହାର, ଭିଡ଼ିଓ ଭାଇରାଲ ପରେ ମାମଲା ରୁଜୁ କଲା ପୁଲିସ

Sep 22, 2026 - 22:07

ସମାଜ ଡେସ୍କ: ବିହାର ଜମୁଇ ଅଂଚଳରେ ନାବାଳିକା ଅସଦାଚରଣ ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଢେଙ୍କାନାଳ ଜିଲା କପିଳାସ ଅଂଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏକ ବାଇକ୍‌ରେ ଯାଉଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଘଟଣାଟି ଗତ ୧୮ ତାରିଖର ବୋଲି ଜଣାପଡିଛି । ତେବେ ଭିଡିଓ ଭାଇରାଲ ହେବା ପରେ ଗଁଦିଆ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଢେଙ୍କାନାଳ ଏସପି ଅଭିନବ ସୋନାକର କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ କଟକ ଅଂଚଳର ଜଣେ ଯୁବକ ଓ ଜଣେ ଯୁବତୀ ଏକ ବାଇକ୍‌ରେ ବସି ଯାଉଥିବା ବେଳେ କପିଳାସ-ଟାଙ୍ଗୀ ରାସ୍ତାର ଗଁଦିଆ ଥାନା ଅଂଚଳରେ କିଛି ଯୁବକ ସେମାନଙ୍କ ବାଇକ୍ ଅଟକାଇ ଦୁର୍ବ୍ୟବହାର କରିଥିଲେ । ପଛରେ ବସିଥିବା ଯୁବତୀ ଜଣକ ଛାଡ଼ଦେବାକୁ ଆକ୍ରମଣକାରୀମାନଙ୍କୁ ଅନୁରୋଧ କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପାଖରେ ଥିବା କିଛି ବୟସ୍କ ଲୋକ ବି ଯୁବକ ଯୁବତୀଙ୍କୁ ଛାଡ଼ିଦେବାକୁ ଏହି ଆକ୍ରମଣକାରୀ ଯୁବକମାନଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଭିଡ଼ିଓ ଭାଇରାଲ ହେବା ପରେ ଏସପି ଶ୍ରୀ ସୋନାକରଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ବୋଲି ଏସପି ସୂଚନା ଦେଇଛନ୍ତି । କପିଳାସ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପର୍ଯ୍ୟଟକମାନେ ଆସୁଛନ୍ତି । ସେମାନଙ୍କ ଏମିତି ବାଟ ମଝିରେ ଦୁର୍ବ୍ୟବହାର ଘଟଣାକୁ ବୁଦ୍ଧିଜୀବୀମାନେ ମଧ୍ୟ ନାପସନ୍ଦ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।