ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା : ଅଧିକାରୀଙ୍କ ଛୁଟି ବାତିଲ, ହେଡକ୍ବାଟର୍ସରେ ସଜାଗ ରହିବାକୁ ନିର୍ଦ୍ଦେଶ
ନବରଙ୍ଗପୁର: ପୂର୍ବ-କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବଂ ଆଗାମୀ ଦିନଗୁଡ଼ିକରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଆଭାସୀ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସମୀକ୍ଷା କରିଛନ୍ତି।
ଆଇଏମଡିର ଆକଳନ ଅନୁଯାୟୀ, ଆଗାମୀ ୨୩ ସେପ୍ଟେମ୍ବର ୨୦୨୬ ପାଇଁ ‘ଅରେଞ୍ଜ୍ ୱାର୍ଣ୍ଣିଂ’ ଏବଂ ୨୪ ଓ ୨୫ ସେପ୍ଟେମ୍ବର ୨୦୨୬ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡ଼. ସ୍ୱାଇଁ କ୍ଷେତ୍ରସ୍ତରରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପର ସମୀକ୍ଷା କରିବା ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଓ ବିଡିଓମାନଙ୍କର ଛୁଟି ବାତିଲ କରାଯାଇଛି। ସେମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ସଜାଗ ଓ ଉପସ୍ଥିତ ରହିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ବିନା ମୁଖ୍ୟାଳୟ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ଏବଂ ବ୍ଲକସ୍ତରରେ ଚୂଡା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥିତି ସମୀକ୍ଷା କରିବା ସହ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସାମଗ୍ରୀର ଅଭାବ ନହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସମସ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷାଜଳର ସୁଗମ ନିଷ୍କାସନ ସୁନିଶ୍ଚିତ କରିବା ତଥା ଜଳବନ୍ଦୀ ପରିସ୍ଥିତି କିମ୍ବା ଆକସ୍ମିକ ବନ୍ୟାର ଆଶଙ୍କା ହ୍ରାସ କରିବା ପାଇଁ ସମସ୍ତ ପୌରାଞ୍ଚଳର ଡ୍ରେନ୍ ଗୁଡିକୁ ଡି-ସିଲ୍ଟିଂ (ପଙ୍କ ନିଷ୍କାସନ) ପାଇଁ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଗଛ ପଡ଼ିବା କିମ୍ବା ମାତ୍ରାଧିକ ବର୍ଷା ଯୋଗୁଁଁ ରାସ୍ତା ଅବରୋଧ ଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେଇ ଯଥାଶୀଘ୍ର ଯାତାୟାତ ସ୍ୱାଭାବିକ କରିବା ପାଇଁ ଅଗ୍ନିଶମ ସେବା କର୍ମଚାରୀଙ୍କୁ ସଜାଗ ରହିବା ସହ ବିଦ୍ୟୁତ୍ ସରବରାହରେ ବାଧା ଉପୁଜିଲେ ତୁରନ୍ତ ପୁନଃସ୍ଥାପନ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ଓ ଆବଶ୍ୟକ ସାଧନ ପ୍ରସ୍ତୁତ ରଖିବାକୁ ଟାଟା ପାୱାରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ, ଇନ୍ଦ୍ରାବତୀ ବ୍ୟାରେଜ୍ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ବର୍ତ୍ତମାନର ପାଣିପାଗ ପରିସ୍ଥିତିରେ ନଦୀ ମଧ୍ୟକୁ ମାଛ ଧରିବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଦେଶୀ ଡଙ୍ଗା ଯୋଗେ ଯାତାୟାତ ନକରିବାକୁ ସ୍ଥାନୀୟ ବିଡିଓ ଏବଂ ତହସିଲଦାରଙ୍କ ତତ୍ତ୍ୱାବଧାନରେ ବ୍ୟାପକ ସଚେତନତା କାର୍ଯ୍ୟ ଚାଲୁ ରହିଛି।
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ସମାପ୍ତ ହେବା ପରେ ସାଧାରଣ ପ୍ରକ୍ରିୟା ଅନୁଯାୟୀ ଆଗାମୀ ୨୩ ଓ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଦୁଇଦିନ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।
ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କଠାରୁ ସୂଚନା ଗ୍ରହଣ, ଅବିଳମ୍ବେ ପଦକ୍ଷେପ ଗ୍ରହଣ ଏବଂ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଓ ବ୍ଲକସ୍ତରୀୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ତେଣୁ ସମସ୍ତ ଜନସାଧାରଣ ସଜାଗ ରହି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଉଥିବା ସରକାରୀ ସୂଚନା ଓ ପରାମର୍ଶ ପାଳନ କରିବା ସହ ଏହି ସମୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କାକୁ ପରାସ୍ତ କରି ରଚିଲା ଇତିହାସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।