କ୍ରାଇମବ୍ରାଞ୍ଚ ଉପରେ କୌଣସି ଚାପ ନାହିଁ - ଡିଜି
ଭୁବନେଶ୍ୱର : ଆରପିଏଫ୍ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର ଜାରି ରହିଛି। ଏହି ଚର୍ଚ୍ଚିତ ଘଟଣାରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୁଇ ଯୁବତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଚାହୁଁଛି। ତେବେ ଉଭୟ ଯୁବତୀ ଏହି ପରୀକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ସହମତି ପ୍ରଦାନ କରିନଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି। ଏସଂକ୍ରାନ୍ତରେ ପ୍ରତିକ୍ରିୟା ଦେଇ କ୍ରାଇମବ୍ରାଞ୍ଚ ଡିଜି ବିନାୟତୋଷ ମିଶ୍ର କହିଛନ୍ତି - କୌଣସି ବୟାନ ଉପରେ ସନ୍ଦେହ ସୃଷ୍ଟି ହେଲେ, ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଏ । ଅଭିଯୋଗ ଆସିବା ମାତ୍ରେ ଲାଇ ଡିଟେକ୍ସନ୍ କରିବା ତଦନ୍ତ ବିରୁଦ୍ଧ ବୋଲି କହିଛନ୍ତି ଡିଜିପି ବିନୟତୋଷ ମିଶ୍ର । ସୌମ୍ୟ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାରେ ଯେଉଁଠି ସନ୍ଦେହ ଉପୁଜିଛି ସେହିଠାରେ ହିଁ ପଲିଗ୍ରାଫ୍ ଟେଷ୍ଟ ହୋଇଛି ।
ସୌମ୍ୟଙ୍କ ସାଙ୍ଗ ଓମଙ୍କର ପୋଲିଗ୍ରାଫ୍ ଟେଷ୍ଟ କରାଯାଇସାରିଛି । ଏହାସହ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରଫେସନାଲ୍ ଭାବେ କାର୍ଯ୍ୟ କରୁଛି ଏବଂ କୌଣସି ବାହ୍ୟ ଚାପରେ କାମ କରିବାର ପ୍ରଶ୍ନ ଉଠୁନାହିଁ । ତେବେ ଏହି ଟେଷ୍ଟରୁ ସେଭଳି କୌଣସି ନୂଆ କିମ୍ବା ସନ୍ଦେହଜନକ ତଥ୍ୟ ହସ୍ତଗତ ହୋଇ ନଥିବା କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଜେରା ସମୟରେ ଓମ୍ ଯାହା ସବୁ ବୟାନ ଦେଇଥିଲେ, ଲାଏ ଡିଟେକ୍ସନ ଟେଷ୍ଟରେ ମଧ୍ୟ ସେ ଠିକ୍ ସେହିପରି କହିଥିଲେ। ଫଳରେ ଏହି ଷଡ଼ଯନ୍ତ୍ରରେ ଓମ୍ଙ୍କର କୌଣସି ସମ୍ପୃକ୍ତି ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
ସୌମ୍ୟଙ୍କ ବାପା ଉଠାଇଥିବା ପ୍ରତ୍ୟେକଟି ପଏଣ୍ଟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଘଟଣାର ତାରିଖ, ସମୟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଭିଡିଓ ଫୁଟେଜ୍ ଓ ସାଇଣ୍ଟିଫିକ୍ ପ୍ରମାଣ ଭିତ୍ତିରେ ତଦନ୍ତ ଜାରି ରହିଛି । ଯେପର୍ଯ୍ୟନ୍ତ ଏ ଘଟଣାର ପୂର୍ଣ୍ଣାଙ୍ଗ ସତ୍ୟାସତ୍ୟ ସାମ୍ନାକୁ ନ ଆସିଛି, ସେପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।