କ୍ୟାମ୍ପସ ନିର୍ବାଚନ, ଆଜି ପ୍ରକାଶ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା

Oct 10, 2026 - 14:20
କ୍ୟାମ୍ପସ ନିର୍ବାଚନ, ଆଜି ପ୍ରକାଶ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର :  ଦୀର୍ଘ ଆଠ ବର୍ଷର ବିରତି ପରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ ଇ ଏହାକୁ ନେଇ କ୍ୟାମ୍ପସ୍ ବେଶ ସରଗରମ ରହିଛି । ଗତ ୭ ଅକ୍ଟୋବରରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୯ ଅକ୍ଟୋବରରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ । ଗତକାଲି ନାମାଙ୍କନ ଓ ଯାଞ୍ଚ ହୋଇଥିବାବେଳେ ଆଜି ଅନିଚ୍ଛୁକ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । 

ଆଜି ପୂର୍ବାହ୍ନ ୧୦ଟାରୁ  ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର କରିବାର ଅବଧି ରହିଛି । ଏହା ପରେ ଅପରାହ୍ନ ୩ ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ‘ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌’ ମିଟିଂ। ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ । ସକାଳ ୮ଟାରୁ ଦିନ ୨ଟା ଯାଏଁ ଚାଲିବ ମତଦାନ ଏବଂ ସେହିଦିନ ସନ୍ଧ୍ୟାରେ ବଜାୟୀ ପ୍ରାର୍ଥୀ ଘୋଷଣା କରାଯିବ । ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । 

ସେପଟେ ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ମଧ୍ୟ ଦେଖିବାକୁ ମିଳିଛି । କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ନାମାଙ୍କନ ନାକଚ ହେବା ପରେ ଏବିଭିପି ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସେହିପରି କେନ୍ଦ୍ରାପଡ଼ା ତୁଳସୀ ଓମେନ୍ସ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । କଲେଜରେ ସାଇନ୍ ଡାଏ ଘୋଷଣା କରିଛନ୍ତି ଅଧ୍ୟକ୍ଷା ଡକ୍ଟର ବାସନ୍ତୀ ଶୁକ୍ଳା । ଧାର୍ଯ୍ୟ ସମୟ ସରିବା ପରେ ନାମାଙ୍କନ ଦାଖଲ କରିବାକୁ ଆସି ଜଣେ ପ୍ରାର୍ଥୀ ଜିଦ୍‌ରେ ଅଟଳ ରହିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ବଢ଼ିଥିଲା । ନାମାଙ୍କନ ଦାଖଲ କରିପାରି ନଥିବା ଛାତ୍ରୀଙ୍କ ସମର୍ଥକମାନେ କଲେଜ ସମ୍ମୁଖରେ ପୋଡ଼ାଜଳା କରିବା ସହ ଗଣ୍ଡଗୋଳ ସୃଷ୍ଟି କରିଥିଲେ। 

ଅନ୍ୟପଟେ, ନୟାଗଡ଼ ଜିଲ୍ଲାର ୪ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ଭାବ୍ୟ ଅଶାନ୍ତିକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ । ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ ସମୟରେ ଗଣ୍ଡଗୋଳ ଓ ସଂଘର୍ଷ ଘଟିବା ପରେ ଏହି ପଦକ୍ଷେପ ନିଆଯାଇଛି । ଲାଠିପଡ଼ା ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ଖଣ୍ଡପଡ଼ା ପଠାଣି ସାମନ୍ତ ଡିଗ୍ରୀ ମହାବିଦ୍ୟାଳୟ ଓ ଭାପୁର ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ମଧ୍ୟ ନିର୍ବାଚନ ବନ୍ଦ ରହିଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।