ଗଣେଶ ଭସାଣି ବେଳେ ଫାଙ୍କା ଗୁଳି ଚାଳନା, ରିମାଣ୍ଡ ରେ ଆସିବେ ୩ ଅଭିଯୁକ୍ତ

Sep 24, 2026 - 11:54
ଗଣେଶ ଭସାଣି ବେଳେ ଫାଙ୍କା ଗୁଳି ଚାଳନା, ରିମାଣ୍ଡ ରେ ଆସିବେ ୩ ଅଭିଯୁକ୍ତ

ଭୁବନେଶ୍ୱର : ଗଣେଶ ଭସାଣି ବେଳେ ଭୁବନେଶ୍ୱର ପାତ୍ରପଡା ଥାନା ଅଧୀନ କୋଳଥିଆ ନିକଟ ରେ ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଥିଲା ।ଫେସବୁକ୍ ଲାଇଭ୍କୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହେବା ସହ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ୫ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଅଦାଲତରେ ୩ଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ରଶ୍ମିରଞ୍ଜନ ବାରିକ, ସେକ୍ ଫୌଜଲ ଓ ଅନ୍ୟ ଜଣେ । ଫେରାର୍ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ସୂଚନା ଦେଇଛି ।

ପୋଲିସ ସୂଚନାନୁସାରେ, ରଶ୍ମିରଞ୍ଜନର ଘର ସୁନ୍ଦରପଦା ଅଞ୍ଚଳରେ । ସେ ଜଣେ ହତ୍ୟା ଅଭିଯୁକ୍ତ । ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା କରିବା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା । ରଶ୍ମିରଞ୍ଜନକୁ କ୍ୟାପିଟାଲ ଥାନା ପୁଲିସ ଗତ ମାର୍ଚ୍ଚ ମାସରେ ଗିରଫ କରିଥିଲା । ସାମାନ୍ୟ କାର ସାଇଡ୍ ମରାକୁ କେନ୍ଦ୍ର କରି ରଶ୍ମିରଞ୍ଜନ ଏକ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲା । ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ ବି କରିଥିବାର ଅଭିଯୋଗ ହୋଇଥିଲା । ଘଟଣାଦିନ ଗୁଳିଚାଳନା ଓ ଆତଙ୍କରାଜ ମାମଲାରେ ଆହୁରି ଅନେକ ଅଭିଯୁକ୍ତ ଫେରାର୍ ଅଛନ୍ତି । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଛି । ପୁଲିସ ୨ ଡଜନରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ ଚଳାଇଛି । ଅଭିଯୁକ୍ତମାନେ ଆସିଥିବା କାରର ନମ୍ବର ପ୍ଲେଟ୍ରୁ ମାଲିକଙ୍କ ଠିକଣା ଜାଣିବା ପରେ ଜଣ ଜଣ କରି ସମସ୍ତଙ୍କୁ କାବୁ କରାଯିବ ବୋଲି ପୁଲିସ କହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।