ଗୁରୁଗ୍ରାମ ହିଟ ଆଣ୍ଡ ରନ ମାମଲାରେ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ : ଗୁରୁଗ୍ରାମ ପୋଲିସ କୁ ବଡ଼ ସଫଳତା । ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ କଲ୍ୟାଣ ବୈସଲାଙ୍କୁ ରାଜସ୍ଥାନ ଦୌସାରୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଗୁରୁଗ୍ରାମ ଆଣି ସଂପୂର୍ଣ୍ଣ ମାମଲାରେ ପଚରାଉଚରା କରିବ । ଗଲ୍ଫ କୋର୍ସ ରୋଡ୍ରେ ଶିବାନୀ ଚୌହାନ ଓରଫ୍ ସିୟା ନାମକ ମହିଳା ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।
ଘଟନାନୁସାରେ , ଗୁରୁଗ୍ରାମ ଗଲ୍ଫ କୋର୍ସ ରୋଡ୍ରେ ଶିବାନୀ ଚୌହାନ ଓରଫ୍ ସିୟା ଜଣେ ମହିଳା ବାଇକର । ଗତ ରବିବାର ସକାଳେ ଶିବାନୀ ତାଙ୍କ ଦଳ ସହିତ ଗଲ୍ଫ କୋର୍ସ ରୋଡରେ ଏକ ସ୍ପୋର୍ଟସ୍ ବାଇକ୍ ଚଲାଉଥିଲେ । ସେହି ରୋଡରେ ଜଣେ କାର୍ ଚାଳକ କଲ୍ୟାଣ ଵୈସଲା ତାଙ୍କୁ ରହିବାକୁ ଇଙ୍ଗିତ କରିଥିଲେ । ସିଆ ସେମାନଙ୍କ ଉଦ୍ଦେଶ୍ୟ ଭଲ ନଥିବା ଜାଣିପାରି ହାତ ଠାରି କାର୍ କୁ ନିଜଠାରୁ ଦୂରତା ବଜାୟ ରଖିବାକୁ କହି ଆଗକୁ ବାହାରି ଯିବାକୁ ଚେଷ୍ଟା କରିଥିଲେ । ଦୂରତା ବଜାୟ ରଖିବାକୁ କହିବା ପରେ କାର୍ ଚାଳକ ଜଣକ ଉତ୍ତ୍ୟକ୍ତ ହୋଇ ଦ୍ରୁତଗତିରେ ଆଗକୁ ଆସି ସିଆଙ୍କ ବାଇକ୍ କୁ ସାଇଡ୍ ରୁ ଜୋରଦାର ଧକ୍କା ମାରିଥିଲେ । ଧକ୍କା ଏତେ ଜୋରରେ ଥିଲା ଯେ ସିଆ ରାସ୍ତାରେ ଛିଟିକି ପଡ଼ିଥଲେ । ଏହା ପରେ କାରଟି ତାଙ୍କ ବାଇକ୍ କୁ କିଛି ବାଟ ଘୋଷାଡ଼ି ନେଇଥିଲା । ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କାର ଧକ୍କାର ଭିଡିଓ ବାଇକରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ତାକୁ ଧରିବା ପାଇଁ ଗୁରୁଗ୍ରାମ ପୋଲିସ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚଲାଇଥିବା ବେଳେ ଶେଷରେ ତାଙ୍କୁ ରାଜସ୍ଥାନର ଦୌସାରୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ସହ ଅନ୍ୟାନ୍ୟ କଠୋର ଦଫାରେ ମାମଲା ରୁଜୁ ହୋଇଛି ।
ପୋଲିସ ଘଟଣା ସ୍ଥଳରେ ଥିବା ଆଖପାଖ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ଯାଞ୍ଚ ଆଧାରରେ ପୋଲିସ ହତ୍ୟା ଉଦ୍ୟମ ଧାରା ଯୋଡିଛି । ସାଂଘାତିକ ଘଟଣା ପରେ ଗୁରୁଗ୍ରାମ ପୋଲିସ ମୂଳ ଏଫ୍ଆଇଆର ହତ୍ୟା ଉଦ୍ୟମ ଦଫା ଯୋଡ଼ିଛି । ପୀଡ଼ିତା ସିଆ ଏବଂ ତାଙ୍କ ପରିବାର ଲୋକେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।