ଜମୁଇ ନାବାଳିକାକୁ ହଇରାଣ ମାମଲା: ମୁଖ୍ୟ ଅଭିଯୁକ୍ତର ଗୋଡ଼କୁ ଗୁଳିମାଡ଼

Sep 22, 2026 - 15:22
ଜମୁଇ ନାବାଳିକାକୁ ହଇରାଣ ମାମଲା: ମୁଖ୍ୟ ଅଭିଯୁକ୍ତର ଗୋଡ଼କୁ ଗୁଳିମାଡ଼

ପାଟନା : ବିହାରର ଜମୁଇରେ ଜଣେ ନାବାଳିକା ଝିଅ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ହଇରାଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋଡ଼ରେ ମଙ୍ଗଳବାର ପୋଲିସ୍ ଏନକାଉଣ୍ଟର ସମୟରେ ଗୁଳି ବାଜିଛି। ଟାଉନ୍ ପୋଲିସ୍ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି। ଜମୁଇରେ କିଛି ଯୁବକ ଜଣେ ନାବାଳିକା ଝିଅ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ହଇରାଣ ଓ ଅସଦାଚରଣ କରୁଥିବା ଦେଖାଯାଉଥିବର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା। ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ମାମଲାରେ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଚୌଧୁରୀ ଏହି ଘଟଣାକୁ ଲୋକଲୋଚନକୁ ଆଣିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଦେଇଥିଲେ। ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ଦେବାକୁ ସରକାର ସୁନିଶ୍ଚିତ କରିବ ବୋଲି ସେ କହିଥିଲେ। ଭିଡିଓ ତିଆରି କରିଥିବା, ତାହା ପ୍ରସାର କରିଥିବା ଏବଂ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ସବୁଠାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଚୌଧୁରୀ କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବଙ୍କ ସହ ଏନକାଉଣ୍ଟର ହୋଇଥିବା ଖବର ସମ୍ପର୍କରେ ପଚରାଯିବାରୁ ଚୌଧୁରୀ କହିଥିଲେ ଯେ ଏ ସମ୍ପର୍କରେ ଏବେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବିହାରର ମନ୍ତ୍ରୀ ଶ୍ରାବଣ କୁମାର କହିଛନ୍ତି ଯେ ରାଜ୍ୟ ପୋଲିସ୍ ତୁରନ୍ତ ପଦକ୍ଷେପ ନେଇଛି ଏବଂ ଏହି ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ । ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଏହା ଏକ ଲଜ୍ଜାଜନକ ଘଟଣା ଏବଂ ଯେତେ ନିନ୍ଦା କଲେ ମଧ୍ୟ ତାହା କମ୍ ହେବ। ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିଲେ, ସେମାନଙ୍କୁ ଗତକାଲି ଗିରଫ କରାଯାଇଛି ଏବଂ ଦୋଷୀମାନଙ୍କ ବିରୋଧରେ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ଏଭଳି କାର୍ଯ୍ୟ କରୁଥିବା କାହାକୁ ମଧ୍ୟ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ସବୁଠାରୁ କଠୋର ପଦକ୍ଷେପ ନିଆଯିବ। ଏଭଳି ଘଟଣା ଯେପରି ପୁଣି ନଘଟେ, ସେଥିପାଇଁ ସରକାର କାମ କରୁଛି। ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଅଶ୍ୱମେଧ ଦେବୀ କହିଛନ୍ତି, ପ୍ରଶାସନ ନିଜ କାମ କରୁଛି। ଭିଡିଓ ପ୍ରକାଶ କରିଥିବା ବ୍ୟକ୍ତିଙ୍କ ସମେତ ୧୨୦ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ୨ ଜଣଙ୍କୁ ଗିରଫ କରାଯାଇଛି ଏବଂ ଆହୁରି ଗିରଫଦାରୀ ଚାଲିଛି। ଆମ ସରକାର ଏହି ମାମଲାରେ ସମ୍ପୃକ୍ତ କାହାକୁ ମଧ୍ୟ ଛାଡ଼ିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।