ଠାକୁରମୁଣ୍ଡା ବନାଞ୍ଚଳରେ ମହାବଳ ବାଘ ଆତଙ୍କ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ମହାବଳ ବାଘ ଆତଙ୍କ । କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳର ଖପରଖାଇ ଗାଁରେ ଏକ ମହାବଳ ବାଘ ପଶି ଆସିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଆତଙ୍କ ପ୍ରକାଶ ପାଇଛି । ଗତ ରାତି ପ୍ରାୟ ୮ଟା ସମୟରେ ବାଘଟି ଗାଁରେ ଟୁକେ ହୋଙ୍କ ଘର ପାଖରେ ଥିବା ଏକ ଖାଲି ପ୍ରଧାନମନ୍ତ୍ରୀ ଆବାସ ଗୃହ ଭିତରକୁ ପଶି ଯାଇଥିଲା । ସେଠାରେ ବାଘଟି ଲୁଚି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଲୋକେ ଟର୍ଚ୍ଚ ଲାଇଟ୍ ପକାଇ ବାଘ ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଥିଲେ । ବାଘ ବୁଲୁଥିବାର ଭିଡିଓ ଏବେ ଭାଇରାଲ୍ ହେଉଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି ।
ରାତି ଅନ୍ଧାରରେ ବାଘଟି ଜନବସତି ଅଞ୍ଚଳକୁ ଚାଲିଆସିଥିବାରୁ ସ୍ଥାନୀୟ ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି । ରାତିରେ ଘରୁ ଏକା ନ ବାହାରିବା, ଗାଈ ଗୋରୁ ସୁରକ୍ଷିତ ସ୍ଥାନରେ ବାନ୍ଧିବା ଓ ବନ ବିଭାଗ ସହ ସହଯୋଗ କରିବାକୁ ବନବିଭାଗ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି । ତେବେ କୌଣସି ଅଘଟଣର ଖବର ଆସିନି । ମହାବଳ ବାଘ ଗାଁ ନିକଟକୁ ଆସିବା ଏହା ପ୍ରଥମ ଘଟଣା । ଖବର ପାଇ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ସେଠାରେ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।