ତ୍ରାହି ତ୍ରାହି ଡାକୁଛି ପାକିସ୍ତାନ!
ପାକିସ୍ତାନରେ ଏବେ ଚାରିଆଡ଼େ ଇନ୍ଧନ ସଙ୍କଟର ଚାପ । ପେଟ୍ରୋଲ-ଡିଜେଲ ଦରର ବୃଦ୍ଧି ହୁହୁ ହୋଇ ବଢୁଛି , ଆଉ ଏହାର ସିଧା ପ୍ରଭାବ ପଡ଼ୁଛି ସାଧାରଣ ଲୋକଙ୍କ ଜୀବନ ଉପରେ। ଇନ୍ଧନ ଖର୍ଚ୍ଚ କମାଇବା ପାଇଁ ସରକାର ଏବେ କାର୍ୟ୍ୟଦିନ କମାଇବା, ଗାଡ଼ି ଚଳାଚଳ ଉପରେ କଟକଣା ଏବଂ ଅନଲାଇନ୍ ପାଠପଢ଼ା ଭଳି ପଦକ୍ଷେପ ନେବା ନେଇ ଚର୍ଚ୍ଚା ହେଉଛି।
ତେବେ ପ୍ରଶ୍ନ ହେଉଛି—ତେଲ ବଞ୍ଚାଇବା ପାଇଁ ଲକଡାଉନ୍ ଭଳି କଟକଣା କ’ଣ ପାକିସ୍ତାନର ଅର୍ଥନୀତିକୁ ବଞ୍ଚାଇପାରିବ? ନା ଏହା ସଙ୍କଟକୁ ଆହୁରି ଗଭୀର କରିବ? ଏବେ ଏହା ଉପରେ ଆରମ୍ଭ ହୋଇଛି ବଡ଼ ଚର୍ଚ୍ଚା ।
ପାକିସ୍ତାନ ଏବେ ଆଉ ଏକ ବଡ଼ ସଙ୍କଟର ସାମ୍ନା କରୁଛି । ଦେଶରେ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ପେଟ୍ରୋଲ-ଡିଜେଲ ଦର ମଧ୍ୟରେ ସରକାର ତେଲ ସଞ୍ଚୟ ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ‘ପେଟ୍ରୋଲିୟମ ସ୍ମାର୍ଟ ଲକଡାଉନ୍’ ଭଳି ଯୋଜନାର କଥା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ସରକାରୀ ଓ ବେସରକାରୀ ସେକ୍ଟରର କାର୍ୟ୍ୟଦିନ କମାଇବା ସହିତ ସପ୍ତାହର କିଛି ଦିନ ଦେଶବ୍ୟାପୀ କଟକଣା ଲଗାଇବା ନେଇ ପ୍ରସ୍ତାବ ରହିଛି। ଶୁକ୍ରବାର, ଶନିବାର ଓ ରବିବାର—ଏହି ତିନି ଦିନ ପୂର୍ଣ୍ଣ ତାଲାବନ୍ଦୀ ଭଳି ପରିସ୍ଥିତି ହେବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଛି। ଏହା ସହ ରାସ୍ତାରେ ଚାଲୁଥିବା ସରକାରୀ ଗାଡ଼ି କମାଇବା ଏବଂ ଇନ୍ଧନ ବ୍ୟବହାର ଉପରେ ନିୟନ୍ତ୍ରଣ ଭଳି ପଦକ୍ଷେପ ନେବା କଥା ମଧ୍ୟ ଚର୍ଚ୍ଚାରେ ରହିଛି।
ପାକିସ୍ତାନରେ ଇନ୍ଧନ ଦର ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ୁଛି। ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବାରୁ ପରିବହନ ଖର୍ଚ୍ଚ ବଢୁଛି। ଏହାର ପ୍ରଭାବରେ ଦୁଗ୍ଧ, ଟମାଟୋ, ପିଆଜ ଓ ରାସନ ଭଳି ଦୈନନ୍ଦିନ ସାମଗ୍ରୀର ଦର ମଧ୍ୟ ବଢିବା ନେଇ ଚିନ୍ତା ରହିଛି। ଫଳରେ ମହଙ୍ଗାଇର ଚାପରେ ଥିବା ଲୋକଙ୍କ ସମସ୍ୟା ଆହୁରି ବଢିପାରେ।
ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଶିକ୍ଷା ବ୍ୟବସ୍ଥାକୁ ନେଇ। ସ୍କୁଲ ଓ କଲେଜକୁ କିଛି ସମୟ ପାଇଁ ବନ୍ଦ କରି ଅନଲାଇନ୍ ପାଠପଢ଼ାକୁ ନେବା ନେଇ ପ୍ରସ୍ତାବ ଥିବା କୁହାଯାଉଛି। କିନ୍ତୁ ପାକିସ୍ତାନର ଅନେକ ପରିବାରରେ କମ୍ପ୍ୟୁଟର ନାହିଁ ଏବଂ ଇଣ୍ଟରନେଟ୍ ସୁବିଧା ମଧ୍ୟ ସୀମିତ। ବିଦ୍ୟୁତ୍ କାଟ ମଧ୍ୟ ଅନଲାଇନ୍ ଶିକ୍ଷା ପାଇଁ ଆଉ ଏକ ବଡ଼ ବାଧା ହୋଇପାରେ।
ଅନ୍ୟପଟେ, ଇନ୍ଧନ ସଙ୍କଟର ପ୍ରଭାବ ଶିଳ୍ପ ଓ ବିମାନ ଚଳାଚଳ ଉପରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି। କାରଖାନା ଓ ଦପ୍ତର ଦୀର୍ଘ ସମୟ ବନ୍ଦ ରହିଲେ ଉତ୍ପାଦନ ଏବଂ ରପ୍ତାନି ପ୍ରଭାବିତ ହୋଇପାରେ। ଏହି ପରିସ୍ଥିତିରେ ଇନ୍ଧନ ବଞ୍ଚାଇବା ପାଇଁ ନିଆଯାଉଥିବା ପଦକ୍ଷେପ ଅର୍ଥନୀତି ଉପରେ କେତେ ପ୍ରଭାବ ପକାଇବ, ତାହା ଏବେ ବଡ଼ ପ୍ରଶ୍ନ।
ତେବେ ଇନ୍ଧନ ସଙ୍କଟରୁ ମୁକୁଳିବା ପାଇଁ ପାକିସ୍ତାନ ସରକାରଙ୍କ ଏହି ପଦକ୍ଷେପ କେତେ ସଫଳ ହେବ, ନା ଏହା ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇବ—ଏହା ଉପରେ ଏବେ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।