ଦୁର୍ଗାପୂଜା ପାଇଁ ରାଜଧାନୀରେ ଜାରି ହେଲା ଟ୍ରାଫିକ କଟକଣା

Oct 14, 2026 - 11:36
ଦୁର୍ଗାପୂଜା ପାଇଁ ରାଜଧାନୀରେ ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ଟ୍ରାଫିକ କଟକଣା ଜାରିକଲା କମିଶନରେଟ ପୋଲିସ । ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଦିନ ୨ରୁ ରାତି ୨ଟା ମଧ୍ୟରେ ଟ୍ୱଇଁ ସିଟି ସହର ମଧ୍ୟରେ ବିଭିନ୍ନ ରୁଟ୍‌ରେ ଭାରୀଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଯାତ୍ରୀବାହୀ ବସ୍‌ଗୁଡ଼ିକୁ ମଧ୍ୟ ଏହି କଟକଣା ପରିସରଭୁକ୍ତ କରାଯାଇଛି । 

୨୨ ତାରିଖ ଭସାଣ ପାଇଁ ମଧ୍ୟ କଟକଣା ରହିଛି । ଏନ୍ଏଚ୍ ନଂ-୧୬ରୁ ସହର ଭିତରକୁ ଲମ୍ବିଥିବା ସମସ୍ତ ରାସ୍ତାରେ ଭାରୀଯାନ ପ୍ରବେଶ କରିପାରିବନି । ଜୟଦେବିହାର ଛକଠୁ କଳିଙ୍ଗ ଷ୍ଟାଡିୟମ ରୁଟରେ ରାଜଭବନ ଯାଏ, ଜୟଦେବବିହାର ଆରପଟ ପାଶ୍ୱର୍ରେ ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା, ପଟିଆ ଦେଇ ନନ୍ଦନକାନନ ଯାଏଁ ଭାରୀଯାନ ଗଡି଼ବନି । ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଯାଏ ଫାୟାର ଷ୍ଟେସନ ଛକଠୁ ଗଙ୍ଗନଗର ରୁଟରେ ଶିଶୁଭବନ ଛକ ଓ ସିଆରପି ଛକଠୁ ଡିଏଭି ସ୍କୁଲ୍ ୟୁନିଟ୍-୮ ରାସ୍ତା ଯାଏ ଭାରୀଯାନ ଚଳାଚଳ କରିବନି ।

ସାମ୍ବାଦିକଙ୍କୁ ସୂଚନା ଦେଇ ପୁଲିସ କମିଶନର ଏସ.ଦେବଦତ୍ତ ସିଂହ କହିଛନ୍ତି, ରସୁଲଗଡ଼-ଲିଙ୍ଗିପୁର ଭାୟା ବୋମିଖାଲ ଓ କଳ୍ପନା, ବାଣୀବିହାର-ଶିଶୁଭବନ ଭାୟା ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ, ଜୟଦେବ ବିହାର-ନନ୍ଦନକାନନ, ଜୟଦେବ ବିହାର-ରାଜଭବନ, ସିଆରପି-ପାୱାର ହାଉସ, ଖଣ୍ଡଗିରି-ପୋଖରୀପୁଟ, ଏନଏଚ୍‌-୧୬ ପାଶ୍ୱର୍ସ୍ଥ ବରମୁଣ୍ଡାରୁ ପଳାଶୁଣୀ ସର୍ଭିସ ରୋଡ ଉପରେ ଏହି କଟକଣା ଜାରି ରହିବ । 

ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନଗୁଡିକ ପିତାପଲ୍ଲୀ, ଚନ୍ଦକା, ବାରଙ୍ଗ, ବାଲିକୁଦା ଦେଇ ଚଳାଚଳ କରିବେ । ପୁରୀରୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଯାଉଥିବା ବସ୍‌ଗୁଡିକ ଲିଙ୍ଗିପୁର, ପାଣ୍ଡରା, ହାଇଟେକ୍ ଦେଇ ଚଳାଚଳ କରିବେ । ମାଷ୍ଟର କ୍ୟାଣ୍ଟିନରୁ ଚଳାଚଳ କରୁଥିବା ବସ୍‌ଗୁଡିକ ରାମମନ୍ଦିର, ହାଉସିଂବୋର୍ଡ ଦେଇ ଆଚାର୍ଯ୍ୟ ବିହାରକୁ ଯିବେ ।ଲିଙ୍ଗରାଜ ମନ୍ଦିର ଦେଇ ଚଳାଚଳ କରୁଥିବା ବସ୍‌ଗୁଡିକ ସକାଳ ବେଳା ଗ୍ୟାରେଜ ଛକ ଓ ସାମନ୍ତରାପୁର ଛକ ଦେଇ ଲିଙ୍ଗିପୁର ଯିବେ । ତେଣୁ ଯାତ୍ରୀମାନେ ଏଥିରେ ସହଯୋଗ କରିବାକୁ କମିଶନର ଶ୍ରୀ ସିଂହ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।