ଧର୍ମ ପରିବର୍ତ୍ତନ କଲେ ମିଳିବ ନାହିଁ ସ୍ୱତଃ ସଂରକ୍ଷଣ - ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ତାମିଲ୍ନାଡୁ ସରକାରଙ୍କୁ ବଡ଼ ଝଟକା । ଧର୍ମ ପରିବର୍ତ୍ତନ କରିବା ପରେ ପୂର୍ବ ଜାତି କିମ୍ବା ସାମାଜିକ ବର୍ଗ ଆଧାରରେ ଆରକ୍ଷଣ ସୁବିଧା ଦାବି କରିହେବ ନାହିଁ । ତାମିଲନାଡ଼ୁ ସରକାରଙ୍କ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି, ଯେଉଁମାନେ ଇସଲାମ ଧର୍ମ ଗ୍ରହଣ କରନ୍ତି ସେମାନେ “ପଛୁଆ ବର୍ଗ” (ବିସି) ସଂରକ୍ଷଣ ପାଇଁ ହକଦାର ନୁହଁନ୍ତି । କୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ଜଣେ ବ୍ୟକ୍ତିଙ୍କର ସାମାଜିକ ପଛୁଆବର୍ଗ ସ୍ଥିତି ଅନ୍ୟ ଧର୍ମ ଗ୍ରହଣ କରିବା ପରେ ସେହି ଧର୍ମର ସାମାଜିକ ବ୍ୟବସ୍ଥାରେ ସ୍ୱତଃ ଲାଗୁ ହୁଏ ନାହିଁ । ପୂର୍ବ ଜାତି କିମ୍ବା ସମ୍ପ୍ରଦାୟର ପରିଚୟ ଆଧାରରେ ନୂଆ ଧର୍ମରେ ଆରକ୍ଷଣ ସୁବିଧା ସ୍ୱତଃ ମିଳିପାରିବ ନାହିଁ ।
ଧର୍ମ ପରିବର୍ତ୍ତନ କରି ମୁସଲମାନ ହୋଇଥିବା ବ୍ୟକ୍ତିଙ୍କୁ ଆରକ୍ଷଣ ସୁବିଧା ଦେବା ପାଇଁ ତାମିଲନାଡୁ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଦାଖଲ କରିଥିବା ଆବେଦନକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।
ସୂଚନାନୁସାରେ, ତାମିଲନାଡୁ ସରକାର ୨୦୨୪ ମାର୍ଚ୍ଚରେ ଏକ ଆଦେଶ ଜାରି କରିଥିଲେ । ଏହି ଆଦେଶ ଅନୁଯାୟୀ, ପଛୁଆ ବର୍ଗ, ଅତି ପଛୁଆ ବର୍ଗ, କେତେକ ଅଧିସୂଚିତ ସମ୍ପ୍ରଦାୟ ଏବଂ ଅନୁସୂଚିତ ଜାତିରୁ ଇସଲାମ ଧର୍ମ ଗ୍ରହଣ କରିଥିବା ଲୋକଙ୍କୁ ପଛୁଆ ମୁସଲମାନ ବର୍ଗରେ ପ୍ରମାଣପତ୍ର ଦେଇ ଆରକ୍ଷଣ ସୁବିଧା ପ୍ରଦାନ କରିବାର ବ୍ୟବସ୍ଥା ହୋଇଥିଲା । ତେବେ ମାଡ୍ରାସ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରିଦେଇଥିଲେ । ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରିଥିବା ବ୍ୟକ୍ତି କେବଳ ଏହି କାରଣରୁ ପଛୁଆ ବର୍ଗ ଶ୍ରେଣୀରେ ଆରକ୍ଷଣ ଦାବି କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ ।
ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧରେ ତାମିଲନାଡୁ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି । ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ବଜାୟ ରଖି ତାମିଲନାଡୁ ସରକାରଙ୍କ ଆବେଦନ ଖାରଜ କରିଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।