ମହାନଦୀ ଜଳ ବିବାଦ : ଆଜି ଟ୍ରିବ୍ୟୁନାଲ ରେ ଶୁଣାଣି
ଭୁବନେଶ୍ୱର : ଆଜି ମହାନଦୀ ଜଳ ବିବାଦର ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ଜଳ ବଣ୍ଟନ ବିବାଦର ସ୍ଥାୟୀ ସମାଧାନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦୁଇ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଦ୍ୟମ ଜୋରଦାର ହୋଇଥିବା ବେଳେ ଆଜିର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । ଉଭୟ ରାଜ୍ୟର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସକାରାତ୍ମକ ପଦକ୍ଷେପ ଯୋଗୁଁ ମାମଲାଟି ଧୀରେ ଧୀରେ ସମାଧାନ ଆଡ଼କୁ ଗତି କରୁଛି।
ଆଜିର ଶୁଣାଣିରେ କେନ୍ଦ୍ରୀୟ ଜଳ ଆୟୋଗ ବା ସିଡବ୍ଲ୍ୟୁସିର ସମ୍ପ୍ରସାରିତ ବୈଷୟିକ କମିଟି ପ୍ରସ୍ତୁତ କରିଥିବା ରିପୋର୍ଟ ଉପରେ ମୁଖ୍ୟତଃ ଆଲୋଚନା ହେବ । ଗତ ୧୩ ତାରିଖରେ ବିବାଦୀୟ ପ୍ରସଙ୍ଗଗୁଡ଼ିକରେ ସହମତି ସୃଷ୍ଟି ପାଇଁ ବୈଷୟିକ କମିଟିର ବୈଠକ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକ୍ରିୟାରେ ହୋଇଥିବା ଅଗ୍ରଗତି ଏବଂ ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ ସମ୍ମୁଖରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି ।
ବିଶେଷକରି ଅଣମୌସୁମୀ ସମୟରେ ମହାନଦୀର ଜଳପ୍ରବାହ ଏବଂ କଲମା ବ୍ୟାରେଜ୍ ରୁ ଜଳ ବ୍ୟବହାର ଅଧିକାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ମତଭେଦ ରହିଛି । ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ମହାନଦୀରେ ସର୍ବନିମ୍ନ ଜଳପ୍ରବାହ ସୁନିଶ୍ଚିତ କରିବା ପ୍ରସଙ୍ଗ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେହିପରି ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ୍ ମାଧ୍ୟମରେ ଛତିଶଗଡ଼ର ଜଳ ଉତ୍ତୋଳନ ଅଧିକାର ମଧ୍ୟ ବିବାଦର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ । ଅନ୍ୟପଟେ ଟ୍ରିବ୍ୟୁନାଲ ବାହାରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।