ପର୍ଯ୍ୟଟକଙ୍କ ବସରେ ଭୟଙ୍କର ଅଗ୍ନିକାଣ୍ଡ ,୯ ଜୀବନ୍ତ ଦଗ୍ଧ

Sep 24, 2026 - 14:57
ପର୍ଯ୍ୟଟକଙ୍କ ବସରେ ଭୟଙ୍କର ଅଗ୍ନିକାଣ୍ଡ ,୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଦିଲ୍ଲୀ ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସ ୱେ ରେ ବଡ଼ ଅଘଟଣ । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ଲିପର କୋଚ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜୀବନ୍ତ ଜଳିଗଲେ ୯ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବିହାର ପଞ୍ଜିକରଣ ନମ୍ବର ବିଶିଷ୍ଟ ସ୍ଲିପର ବସ୍‌ଟି ୩୫ ଜଣ ଯାତ୍ରୀଙ୍କୁ ନେଇ ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୟାନତପୁର ଗାଁ ନିକଟରେ ଧୂଆଁ ବାହାରିବା ଦେଖି ଡ୍ରାଇଭର ବସ୍‌ଟିକୁ ରାସ୍ତା କଡ଼ରେ ପାର୍କିଂ କରିଥିଲେ । ନିଆଁ ଲାଗିବା ଦେଖି ଯାତ୍ରୀମାନେ ଚିତ୍କାର କରି ବସ୍‌ରୁ ଡେଇଁ ପଡ଼ିଥିଲେ। ତେବେ ରାତି ସମୟ ହୋଇଥିବାରୁ ଯାତ୍ରୀମାନେ ବସ ଭିତରେ ଶୋଇ ପଡ଼ିଥିଲେ । ନିଆଁ ଆଉ ଧୂଆଁରେ ଫସିଯାଇ ୯ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଥିଲେ ।  ଯାତ୍ରୀମାନେ ଅଧିକାଂଶ ବୟସ୍କ ମହିଳା ଏବଂ ପିଲା ଥିଲେ, କିଛି ଦିବ୍ୟାଙ୍ଗ ପିଲା ମଧ୍ୟ ଥିଲେ, ଯେଉଁମାନେ ହଠାତ୍ ନିଆଁରେ ଫସି ଯାଇଥିଲେ। ବସ ରେ ଥିବା ସମସ୍ତ ପର୍ଯ୍ୟଟକ ମଥୁରାରୁ ବୃନ୍ଦାବନ ଯାଉଥିବା ଜଣା ପଡିଛି । ଆହତମାନଙ୍କୁ କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଣ୍ଟାଏ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ବସର ଏୟାର କଣ୍ଡିସନର (AC) ସିଷ୍ଟମରେ ଶର୍ଟ ସର୍କିଟ୍ କିମ୍ବା ବ୍ଲାଷ୍ଟ ହେବା ଯୋଗୁଁ ଇଞ୍ଜିନର ଲୁବ୍ରିକାଣ୍ଟ ତେଲରେ ନିଆଁ ଲାଗିଯାଇଥିଲା ଏବଂ ତାହା ଦ୍ରୁତ ଗତିରେ ସମଗ୍ର ବସକୁ ବ୍ୟାପି ଯାଇଥିଲା । ବସରୁ ପ୍ରାୟ ୨୦ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।