ପଶୁମାନଙ୍କ ପାଇଁ ପରିବେଷଣ କରନ୍ତି ସଙ୍ଗୀତ
ଅଷ୍ଟ୍ରେଲିଆର ଜଣେ ମହିଳା ଏଲିସନ ୱେୟାର ଗତ ୫ ବର୍ଷ ଧରି ନ୍ୟାସନାଲ ଜୁ ଆଣ୍ଡ ଆକ୍ୱାରିୟମରେ ସ୍ୱେଚ୍ଛାସେବୀ ଭାବେ ପଶୁମାନଙ୍କ ପାଇଁ 'ହାର୍ପ' ବଜାଇ ଏକ ନିଆରା ନମୁନା ସୃଷ୍ଟି କରିଛନ୍ତି । ଗଣ୍ଡା, ସିଂହ, ଲିମରଠାରୁ ଆରମ୍ଭ କରି ଆକ୍ୱାରିୟମର ସାଉଥ ଆମେରିକାନ ପାଇକୁ ମାଛ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସଙ୍ଗୀତର ଧୁନ ଶୁଣିବା ପାଇଁ ତାଙ୍କ ପାଖକୁ ଚାଲିଆସନ୍ତି । ଭିନ୍ନ ଭିନ୍ନ ଆକାରର ହାର୍ପ ବ୍ୟବହାର କରି ସେ ପ୍ରତ୍ୟେକ ଜୀବଙ୍କ ପାଇଁ ସ୍ୱତନ୍ତ୍ର ସ୍ୱର ସୃଷ୍ଟି କରନ୍ତି । ଯେପରିକି ଲିମର କ୍ଷୁଦ୍ର ହାର୍ପର ମୃଦୁ ସ୍ୱର ପସନ୍ଦ କରୁଥିବା ବେଳେ ଗଣ୍ଡା ଗମ୍ଭୀର ସ୍ୱର ବିଶିଷ୍ଟ ବଡ଼ ହାର୍ପ ପ୍ରତି ଅଧିକ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ଅନେକ ସମୟରେ ଏହି ସଙ୍ଗୀତ ଶୁଣି ପଶୁମାନେ ଶାନ୍ତ ହୋଇ ବସିପଡ଼ନ୍ତି କିମ୍ବା ଶୋଇପଡ଼ନ୍ତି । ଯାହାକି ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ମତରେ ସେମାନଙ୍କ ପାଇଁ ଏକ ନୂତନ ଓ ଶାନ୍ତ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ବୃତ୍ତିରେ ଜଣେ ମ୍ୟୁଜିକ ଥେରାପିଷ୍ଟ ଭାବେ ୨୦ ବର୍ଷର ଅଭିଜ୍ଞତା ରଖିଥିବା ଏଲିସନ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ମଧ୍ୟ ହାର୍ପ ବଜାଇଥାନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।